ଶରଧାବାଲିରେ ଲାଗିଲା ତିନି ରଥ

ବିନା ଭକ୍ତରେ ରଥାରୂଢ ହୋଇଶ୍ରୀଗୁଣ୍ଡିଚା ମନ୍ଦିର ଗଲେ ଚତୁର୍ଦ୍ଧା ମୂରତି

ପୁରୀ : ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି ଘୋଷ ଯାତ୍ରା । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବା ରଥଟଣା ସମୟ ପୂର୍ବରୁ ସରିଛି । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା । ପରେ ପରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା ସୁଭଦ୍ରାଙ୍କ ଦେବଦଳନ ରଥ ।
ପଛରେ ଘର୍ଘର ନାଦରେ ଆସୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି । ପହଣ୍ଡିରୁ ନେଇ ରଥଟଣା ସବୁକିଛି ଶାନ୍ତିଶୃଙ୍ଖଳା ମଧ୍ୟରେ ସରିଛି । କ୍ରମାଗତ ଦ୍ୱିତୀୟ ବର୍ଷ ମହାମାରୀ କରୋନା ପାଇଁ ଭକ୍ତ ରହିତ ଭାବେ ପାଳନ ହେଉଛି ରଥଯାତ୍ରା ।

ବିନା ଭକ୍ତରେ ବଡ ଦାଉଣ୍ଡକୁ ଓହ୍ଲାଇ ଆସିଲେ ଜଗତର ନାଥ ଜଗନ୍ନାଥ। ରତ୍ନବେଦୀରୁ ଗଲେ ଜନ୍ମବେଦୀ। ପତିତପାବନ ଯାତ୍ରାରେ ଭାଇ ଓ ଭଉଣୀଙ୍କୁ ଧରି ରଥାରୂଢ ହୋଇ ଗଲେ ମାଉସୀ ମନ୍ଦିର। ଘର୍ଘର ନାଦ ଏବଂ ସେବାୟତଙ୍କ ଘଣ୍ଟ ଘଣ୍ଟାରେ ଶ୍ରୀମନ୍ଦିର ସିଂହ ଦ୍ଵାରରୁ ଯାଇ ପହଞ୍ଚିଲେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ। ଗତ ବର୍ଷ ପରି ଏଥର ମଧ୍ୟ କରୋନା ମହାମାରୀରେ ଭକ୍ତଶୂନ୍ୟ ରହିଲା ବଡ ଦାଣ୍ଡ। ଆଉ ଭାଇ ଭଉଣୀକୁ ଧରି ଏକା ଏକା ମାଉସୀ ମା ମନ୍ଦିରକୁ ଗଲା ଭାବଗ୍ରାହୀ କଳା ଠାକୁର। କୋଭିଡ କଟକଣା ଯୋଗୁ ବଡଦାଣ୍ଡରେ ସିନା ଭକ୍ତଙ୍କ ଗହଳି ନଥିଲା କିନ୍ତୁ ଭାବର ଅଭାବ ନଥିଲା । ଭାବର ଠାକୁର ଜଗନ୍ନାଥଙ୍କ ଘୋଷଯାତ୍ରାରେ ସବୁ କିଛି ତି ସୁରୁଖୁରୁରେ ସମ୍ପନ୍ନ ହୋଇଛି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି ତାଳଧ୍ଵଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥ।


ଭାବର ଠାକୁର ଜଗନ୍ନାଥଙ୍କ ଘୋଷଯାତ୍ରାରେ ସବୁ କିଛି ତି ସୁରୁଖୁରୁରେ ସମ୍ପନ୍ନ ହୋଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢ଼ ଘଣ୍ଟା ପୂର୍ବରୁ ପହଣ୍ଡି ଓ ତିନି ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ଅପରାହ୍ନ ସୁଦ୍ଧା ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଯାଇଥିଲେ।
ଆଜି ଭୋର ୪ଟାରେ ମଙ୍ଗଳଆଳତୀ ହୋଇଥିଲା । ଆଉ ଏପଟେ ସକାଳ ୬.୧୦ରେ ରଥ ପ୍ରତିଷ୍ଠା ସରିଥିଲା। ସକାଳ ୭ଟା ବେଳକୁ ଚତୁର୍ଦ୍ଧାବିଗ୍ରହଙ୍କ ଧାଡିପହଣ୍ଡି ଆରମ୍ଭ ହୋଇ ଯାଇଥିଲା। ଜଣଙ୍କ ପରେ ଜଣେ ଠାକୁର ବାଇଶି ପାହାଚରେ ଟାହିଆ ହଲାଇ ଆସିଥିଲେ । ରଥାରୁଢ ହୋଇଥିଲେ ଶ୍ରୀଜୀଉ। ଶେଷରେ ନାଟ ଲଗାଇ ଆସିଥିଲେ କାଳିଆ ସାଆନ୍ତ । ଦେଢ ଘଣ୍ଟା ଆଗରୁ, ସକାଳ ୯ଟା ୫୦ ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା ।
କୋଭିଡ କଟକଣା ଯୋଗୁ ବଡଦାଣ୍ଡ ଥିଲା ଜନଶୂନ୍ୟ, କିନ୍ତୁ ଥିଲା ଭାବ ପୂର୍ଣ୍ଣ । ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ୭ ଜଣ ଶିଷ୍ୟଙ୍କ ସହ ଆସି ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ତିନିଥର ରଥ ପ୍ରଦକ୍ଷିଣ କରିଥିଲେ। ଏହାପରେ ବଡଦାଣ୍ଡରେ ଦେଖିବାକୁ ମିଳିଥିଲା ତାମଯାନ । ଶ୍ରୀନଅରରୁ ବାହାରି ତାମଯାନରେ ଆସୁଥିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ । ପ୍ରଥମେ ବଡଠାକୁରଙ୍କ ତାଳଧ୍ବଜ, ଏହା ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ସୁନାଖଡିକାରେ ଛେରାପହଁରା କରିଥିଲେ ଗଜପତି ।


ଏହାପରେ ସମସ୍ତଙ୍କ ଅପେକ୍ଷା ଥିଲା ସେହି ମୁହୁର୍ତ୍ତକୁ । ରଥରୁ ଚାରମାଳ ଫିଟାଯାଇ ଘୋଡ଼ା, ସାରଥୀ ଯୋଚା ଯାଇଥିଲା। ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡିଥିଲା ରଥ। ଘର୍ଘର ନାଦ କରି ପ୍ରଥମେ ଗଡିଥିଲା ଲାଲ ଏବଂ ସବୁଜ ରଙ୍ଗରେ ଝଟକୁଥିବା ତାଳଧ୍ବଜ ରଥ । ଏହାପରେ ଜନ୍ମବେଦୀ ଅଭିମୁଖେ ବାହାରିଥିଲା ଲାଲ ଏବଂ କଳା ରଙ୍ଗରେ ଝଲସୁଥିବା ଦର୍ପଦଳନ ରଥ । ଆଉ ଶେଷରେ ଲାଲ ଏବଂ ହଳଦିଆ ରଙ୍ଗରେ ଶୋଭା ପାଉଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଖରା, ଛାଇର ଲୁଚକାଳି ଖେଳ ମଧ୍ୟରେ ଘୋଷଯାତ୍ରା ଚାଲିଥିଲା । ଖାଲିପାଦରେ ସେବାୟତ ତିନିରଥ ଟାଣି ନେଉଥିଲେ। ନିୟମିତ ବ୍ୟବଧାନରେ ଜଳସିଞ୍ଚନ କରି ବଡ଼ଦାଣ୍ଡକୁ ଓଦା କରାଯାଉଥିଲା। ବଡ଼ଦାଣ୍ଡରେ ବାଜୁଥିଲା ଭକ୍ତି ସଙ୍ଗୀତ । ଏଣେ ସେବାୟତମାନେ ନିଜେ ଭକ୍ତିଗୀତ ଗାଇ ଗାଇ ରଥ ଟାଣି ନେଉଥିଲେ। ଖରା ଓ ଗୁଳୁ ଗୁଳି ସତ୍ତ୍ୱେ ରଥ ଟାଣିବା ପାଇଁ ସେବାୟତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା।ସେବାୟତଙ୍କ ପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ବିଶ୍ରାମସ୍ଥଳୀ, ଆଶୁ ଚିକିତ୍ସା କେନ୍ଦ୍ର ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ଗୋଟିଏ ରଥରେ ୫୦୦ ରୁ ୬୦୦ ସେବାୟତ ସାମିଲ ହୋଇଥିଲେ। ଯୁବ ସେବାୟତଙ୍କ ସହ ପ୍ରଭୁଙ୍କ ବାହୁବଳୀ ସେବାୟତ ଆକର୍ଷଣ ସାଜିଥିଲେ। ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି, ଆଇନଶୃଙ୍ଖଳା ଏଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କ ସମେତ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଜନଶୂନ୍ୟ ଥିଲା ବଡ଼ଦାଣ୍ଡ।ବଡଦାଣ୍ଡକୁ ସଂଯୋଗ କରୁଥିବା ସବୁ ରାସ୍ତା ହୋଇଥିଲା ସିଲ। କାଁ ଭାଁ ଛାତ ଉପରେ ଠିଆ ହୋଇଥିଲେ ଲୋକେ।ବିନା ଭକ୍ତରେ ଅନୁଷ୍ଠିତ ହୋଇଥିବା ଚଳିତବର୍ଷର ଏହି ରଥଯାତ୍ରା ନୂଆ ଇତିହାସ ଯୋଡ଼ିଛି।

puri rathayatra three chariot in front of shri gundicha temple