ବଡଦାଣ୍ଡରେ ରଥାରୁଢ ତିନି ଠାକୁର, ୪ଟାରେ ରଥ ଟଣା

ଭକ୍ତ ଓ ଭଗବାନଙ୍କ ମହାମିଳନ

ପୁରୀ : ଆଜି ହେଉଛି ପବିତ୍ର ରଥଯାତ୍ରା ଏଥିଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସକାଳୁ ରୀତୀନିତି ସରିବା ପରେ ସକାଳ ୯ଟା ୩୦ରୁ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ରଙ୍କୁ ପହଁଣ୍ଡି ବିଜେ କରାଯାଇଥିଲା ।
ପରେ ସୁଭଦ୍ରା ଏବଂ ଶେଷରେ କାଳିଆ ଠାକୁର ମହାପ୍ରଭୁ ଜଗନ୍ନାଥଙ୍କ ପହଁଣ୍ଡି କରାଯାଇଥିଲା । ଧାଡି ପହଣ୍ଡିରେ ତିନି ଠାକୁରଙ୍କୁ ଆଣି ରଥାରୁଢ କରାଯାଇଛି । ବଡ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହୋଇଛି ମହାମିଳନ । ରଥଉପରେ କୌଣସି ଅନଧିକୃତ ବ୍ୟକ୍ତି କିମ୍ବା ଯାତ୍ରୀ ଚଢିପାରିବେ ନାହିଁ । ସେଥିପାଇଁ ଦଇତାପତି ବାଡ଼ଗ୍ରାହୀ ସେବକ, ପୁଲିସ ଓ ଶ୍ରୀମନ୍ଦିର ପୁଲିସ ତୀକ୍ଷ୍ଣଦୃଷ୍ଟି ରଖିବେ । ଶ୍ରୀଜିଉଙ୍କ ସ୍ପଷ୍ଟ ଦର୍ଶନ ନିମନ୍ତେ ଠାକୁରମାନଙ୍କ ସେବାପୂଜା ନଥିବା ବେଳେ କୌଣସି ସେବକ ଶ୍ରୀବିଗ୍ରହମାନଙ୍କ ଉଭୟ ଭୁଜ ମଧ୍ୟରେ ବା ସମ୍ମୁଖରେ ଛିଡା ହୋଇପାରିବେ ନାହିଁ କି ବସିପାରିବେ ନାହିଁ । ଶ୍ରୀବିଗ୍ରହଙ୍କ ଭୁଜ ଉପରେ ଭରାଦେଇ ଛିଡା ହେବାକୁ ନିଷେଧ କରାଯାଇଛି ।

ମହାପ୍ରଭୁଙ୍କ ପହଣ୍ଡି ପରେ ପରେ ଛାଉଁଣି ମଠରୁ ପଟୁଆରରେ ଚିତା ଅଣାଯାଇ ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଲାଗି କରାଯିବ । ଠାକୁରମାନେ ରଥାରୂଢ ହେବା ପରେ ପ୍ରଥମେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରଥ ଉପରେ ଚଢି ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେବାୟତଙ୍କ ବିନା ଅନ୍ୟ କେହି ରଥ ଉପରକୁ ଚଢିପାରିବେ ନାହିଁ । ଅନ୍ୟପକ୍ଷରେ ଆଇନଶୃଙ୍ଖଳା ରକ୍ଷା ଓ ଯାନବାହନ ଚଳାଚଳ ନିୟନ୍ତ୍ରଣ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ପୁଲିସ ମହାନିର୍ଦ୍ଦେଶକ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଓ ଆଇଜିମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ।

ରଥଯାତ୍ରାରେ ରଥାରୁଢ ଠାକୁରଙ୍କୁ ଦେଖିବା ସହ ରଥା ଟାଣିବା ଲାଗି ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମମ ହୋଇଛି ।