ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପରେ ଯୋଗ ଦେବେ ୫ ଶିକ୍ଷାନବୀଶ ଆଇ.ଏ.ଏସ୍ ଅଫିସର

ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ପୁରୀର ଭିତିଭୂମିର ବିକାଶ, କୀର୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି । ଏହିସବୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଜଣ ଶିକ୍ଷାନବୀଶ ଆଇ.ଏ.ଏସ୍ ଅଫିସରମାନଙ୍କୁ ପୁରୀରେ ନିଯୁକ୍ତ କରିଛନ୍ତି । ସେମାନେ ପୁରୀର ବିକାଶ ପାଇଁ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ୱରେ ରହିବେ ।

ଏହି ଶିକ୍ଷାନବୀଶ ଆଇ.ଏ.ଏସ୍ ଅଫିସରମାନେ ହେଲେ ଶ୍ରୀ ସୂର୍ଯ୍ୟବଂଶୀ ମୟୁର ବିକାଶ, ଶ୍ରୀ କୀର୍ତିଭାସନ ଭି, ଡଃ ଶୁଭଙ୍କର ମହାପାତ୍ର, ଶ୍ରୀ ଜେ. ସୋନାଲ, ଶ୍ରୀ ଭୁବନେଶ ଦେବଦାସ ପାଟିଲ । ଏମାନେ ସମସ୍ତେ ୨୦୧୮ ବ୍ୟାଚର ଆଇ.ଏ.ଏସ୍ ଅଫିସର । ଏମାନେ ସମସ୍ତେ ଆଜି ପୁରୀର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୁରୀ ଯିବା ପୂର୍ବରୁ ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ.ଆର୍. ବାଲକ୍ରିଷ୍ଣନ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ସେମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ବୁଝାଇଥିଲେ । ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ ।