ପୁରୀ ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍‍ ସେବା ଆରମ୍ଭ

ଭୁବନେଶ୍ୱର: ବାତ୍ୟା ବିଧ୍ୱସ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ଡାଏଲିସିସ୍‍ ସେବା । ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ କାର୍ଯ୍ୟକ୍ଷମ କରିଛନ୍ତି । ଫଳରେ ଗତକାଲି ଏଠାରେ ୧୪ ଜଣ କିଡ୍‍ନୀ ରୋଗୀଙ୍କର ସଫଳ ଡାଏଲିସିସ୍‍ ହୋଇଥିବାବେଳେ ଆଜି ଆଉ ୨୧ଜଣଙ୍କର ଜାରି ରହିଛି । ଗତ ତିନି ତାରିଖରେ   ଆସିଥିବା ପ୍ରଳୟଙ୍କରୀ ବାତ୍ୟା ଫୋନିରେ ପୁରୀ ସହର ସମେତ ମୁଖ୍ୟ ଡାକ୍ତରଖାନା ଭାଙ୍ଗିରୁଜି ଯାଇଥିଲା । ଏହା ମଧ୍ୟରେ ଥିବା ଡାଏଲିସିସ୍‍ କେନ୍ଦ୍ରଟି ମଧ୍ୟ ବର୍ତ୍ତି ନଥିଲା । ଏଠାରେ ଥିବା ୭ ଶଯ୍ୟା ବିଶିଷ୍ଟ ଡାଏଲିସିସ୍‍ ୟୁନିଟ୍‍ ସହିତ ଆର.ଓ ପ୍ଲାଣ୍ଟ, ଦୁଇହଜାର ଲିଟର କ୍ଷମତା ବିଶିଷ୍ଟ ୪ଟି ପାଣିଟାଙ୍କି ସମେତ ବଦ୍ୟୁତ୍‍ ଉପକରଣ ଓ ଏସି ଆଦି ଭାଙ୍ଗି ଛିନ୍‍ଛତ୍ର ହୋଇଯାଇଥିଲା । ଫଳରେ ପୁରୀ ଜିଲ୍ଲାର ବହୁ କିଡ୍‍ନୀ ରୋଗୀ ନିଜର ଡାଏଲିସିସ୍‍ କରିନପାରି ସମସ୍ୟାରେ ପଡି ଛଟପଟ ହୋଇଥିଲେ । ପରିସ୍ଥିତିର ଗମ୍ଭୀରତାକୁ ଦେଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ଡାଏଲସିସ୍‍ ୟୁନିଟ୍‍କୁ କାର୍ଯ୍ୟକ୍ଷମ କରିବାଲାଗି ସ୍ୱାସ୍ଥ୍ୟ ପ୍ରଶାସନକୁ
ନିର୍ଦ୍ଦେଶ ଦେଇଥିଲେ । ସଚିବଙ୍କ ନିର୍ଦ୍ଦେଶ ପରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ନିଜେ ପୁରୀ ଗସ୍ତକରି ଡାଏଲିସିସ୍‍ ୟୁନିଟ୍‍ କିଭଳି ତୁରନ୍ତ କାର୍ଯ୍ୟକ୍ଷମ ହେବ ତାହାର ତଦାରଖ କରିଥିଲେ ।
ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବା ଫଳରେ ବାତ୍ୟା ଯିବାର ମାତ୍ର ୧୦ଦିନ ମଧ୍ୟରେ ମୁଖ୍ୟ ଚିକିତ୍ସାଳୟର ଡାଏଲସିସ୍‍ ୟୁନିଟ୍‍କୁ କାର୍ଯ୍ୟକ୍ଷମ କରାଯାଇଛି । ଉଲ୍ଲେଖନୀୟ ଯେ ରାଜ୍ୟ ସରକାର କିଡ୍‍ନୀ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଡାଏଲିସିସ୍‍ ସେବା ଯୋଗାଇ ଦେଉଛନ୍ତି । ପୁରୀ ସହରରେ ଏବେ ବି ବିଜୁଳି ଓ ଜଳ ଯୋଗାଣ ପାଇଁ ରାଜ୍ୟ ପ୍ରଶାସନ ତାହାର ଉଦ୍ୟମ ଜାରି ରଖିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏତେ ଅଳ୍ପ ଦିନ ମଧ୍ୟରେ ଡାଏଲିସିସ୍‍ ୟୁନିଟ୍‍କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇ ପାରିଥିବାରୁ କିଡ୍‍ନୀ ରୋଗୀ ଓ ସେମାନଙ୍କ ପରିବାରବର୍ଗ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।