ପୁରୀରୁ ହଟିଲା କଟକଣା: ହୋଟେଲ ବୁକିଂ ପାଇଁ ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି

ପୁରୀ: ଓଡିଶା ପର୍ଯ୍ୟଟନର ମେରୁଦଣ୍ଡ ବୋଲାଉଥିବା ପୁରୀ ସହରରୁ ହଟିଲା କଟକଣା । ପର୍ଯ୍ୟଟକଙ୍କ ପାଇଁ ଖୋଲାଗଲା ପୁରୀ।

କରୋନା ପାଇଁ ସବୁଆଡେ ତାଲା ବନ୍ଦ ରହିଥିବା ବେଳେ ପୁରୀରେ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ନିଷିଦ୍ଧାଦେଶ ଜାରି ହୋଇଥିଲା। ତେବେ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନ ଜୀବିକାକୁ ପୁଣି ଥରେ ଫେରାଇ ଆଣିବା ନେଇ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ହୋଟେଲ୍‌ ଗୁଡ଼ିକୁ ବୁକିଂ ଅନୁମତି ଦିଆଯାଇଥିବା ବେଳେ ସ୍ଥିତି ଧୀରେ ଧୀରେ ପୂର୍ବ ଭଳି ହେବାକୁ ଯାଉଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ।

ଆହୁରି ମଧ୍ୟ ଜିଲ୍ଲାପାଳ କହିଛନ୍ତି ଯେ, କରୋନା ପାଇଁ ପୁରୀ ପର୍ଯ୍ୟଟନ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି। ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ସମସ୍ତ କଟକଣା ହଟାଇବା ସହ ଏହି ପର୍ଯ୍ୟଟନ କ୍ଷେତ୍ରକୁ ପୁନଃ ଚଳଚଂଚଳ କରାଇବୁ । ହୋଟେଲ୍‌ ଗୁଡିକ ଧୀରେ ଧୀରେ ଖୋଲୁଛି । ଏଥିରେ ବୁକିଂ ପାଇଁ ମଧ୍ୟ ଅନୁମତି ଦିଆସରିଛି। ବର୍ତ୍ତମାନ ଯେଉଁ ପର୍ଯ୍ୟଟକମାନେ ପୁରୀକୁ ଆସିବାକୁ ଚାହୁଁଛନ୍ତି, ସେମାନେ ଆସିପାରିବେ।

କୋଣାର୍କ ମନ୍ଦିର ମଧ୍ୟ ଗତ କିଛି ଦିନ ହେବ ଖୋଲିଛି। ବର୍ତ୍ତମାନ ପୁରୀ ଆସିବାକୁ ଇଛୁକ ପର୍ଯ୍ୟଟକ ମାନେ ହୋଟେଲ୍‌ରେ ରହିପାରିବେ ଓ କୋଣାର୍କ ମନ୍ଦିର ଓ ଅନ୍ୟ ସ୍ଥାନ ବୁଲି ପାରିବେ। ମାତ୍ର ପର୍ଯ୍ୟଟକଙ୍କୁ କରୋନା ଗାଇଡ଼ଲାଇନ ମାନି ସତର୍କତାର ସହ ବୁଲାବୁଲି କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।