ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା; ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ପ୍ରେସ୍‌ ରିଲିଜ ଜରିଆରେ ସୂଚନା ଦେଲେ ଏସ୍‌ଆରସି । ବିଭିନ୍ନ ମେଡିକାଲରେ ୧୯ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି । ବିସ୍ଫୋରଣରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଖଣ୍ଡିଆବନ୍ଧ ଗାଁ ।

ଯେହେତୁ ଖଣ୍ଡିଆବନ୍ଧ ଗାଁ ନରେନ୍ଦ୍ର ପୁଷ୍କରିଣୀକୁ ଲାଗି ରହିଛି, ସେ ଦୃଷ୍ଟିରୁ ଭଉଁରି ଦେଖିବାକୁ ଅନେକ ପରିବାର ଭିଡ଼ ଜମାଇଥିଲେ। ହଠାତ୍‌ ବାଣ ବିସ୍ଫୋରଣ ଘଟି ୪୦ରୁ ଅଧିକ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏ ଥିରୁ ଆଜି ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଅନେକ ଜୀବନ ସହ ସଂଘର୍ଷ କରୁଛନ୍ତି।

ଗତ ବୁଧବାର ରାତିରେ ପୁରୀରେ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ହୋଇଥିଲା । ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଅନ୍ୟପଟେ ଘଟଣାରେ ୩ ଜଣଙ୍କ ନାଁରେ କୁମ୍ଭାରପଡ଼ା ଥାନାରେ ଆଇପିସି ଦଫା ୩୦୪ ଓ ଏକ୍ସପ୍ଲୋସିଭ୍ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ହୋଇଥିବା ବ୍ୟକ୍ତି ମଧ୍ୟ ବାଣ ବିସ୍ପୋରଣରେ ଗୁରୁତର ହୋଇଥିବାରୁ ଚିକିତ୍ସା ପରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ ସିଟି ଡିଏସପି ପ୍ରଶାନ୍ତ ସାହୁ ।

ଅନ୍ୟପକ୍ଷରେ, ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ଏହି ବିସ୍ଫୋରଣ ଘଟଣାର ତଦନ୍ତ କରିବେ ବୋଲି ସୂଚନା ମିଳିଛି। ଏ ନେଇ ଆସନ୍ତା ୬ ତାରିଖରେ ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ପୁରୀ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଚିଠି କରି ଅବଗତ କରାଇଛନ୍ତି ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପଦ୍ମନାଭ ବେହେରା। ଶ୍ରୀ ବେହେରା କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ତଦନ୍ତ ହେବ। ଅତିରିକ୍ତ ରିଲିଫ୍‌ କମିସନର୍‌ ଏହାର ତଦନ୍ତ କରିବେ। ଏଣୁ ଆସନ୍ତା ୬ ତାରିଖରେ ଚନ୍ଦନଯାତ୍ରା ନୀତିରେ ସଂପୃକ୍ତ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ବ୍ୟକ୍ତିବିଶେଷ, ପୁରୀ ଆରକ୍ଷୀ ଅଧୀକ୍ଷକ, ସହକାରୀ ଅଗ୍ନିଶମ ଅଧିକାରୀ, ପ୍ରତ୍ୟକ୍ଷଦର୍ଶୀ ପ୍ରମୁଖଙ୍କ ଉପସ୍ଥିତିରେ ବୈଠକ ହେବା ସହ ଘଟଣାର ତଦନ୍ତ ହେବ। ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜର ସହ ଅନ୍ୟମାନେ ଯେଭଳି ଏହି ବୈଠକରେ ଉପସ୍ଥିତ ରହିବେ, ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।