ପୁରୀ ନାବାଳିକା ବଳାତ୍କାର ମାମଲା: ଗିରଫ ହେଲା ତୃତୀୟ ଅଭିଯୁକ୍ତ, ଏବେ ବି ଜଣେ ଫେରାର

ପୁରୀ: ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କ ସହ ବଳାତ୍କାର ଓ  ହତ୍ୟା ମାମଲାରେ ପୋଲିସ ଚାରି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ନିହତ କରିଥିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ମଧ୍ୟରେ ଅନ୍ୟପଟେ ପୁରୀ ପୋଲିସ କ୍ଵାର୍ଟର୍ସରେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୋଲିସ ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ରାମଚନ୍ଦ୍ର ପ୍ରଧାନ। ପୋଲିସ ତାକୁ ବ୍ରହ୍ମଗିରି ଆଳିଆପୁଟୁ ଗାଁରୁ ଗିରଫ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଏଯାଏ ୩ ଜଣଙ୍କୁ ଗିରଫ କରିଥିବା ଚତୁର୍ଥ ଅଭିଯୁକ୍ତ ଫେରାର ଅଛି। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ଆଉ ଜଣେ ଗିରଫ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ପୁରୀ ସହର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନିମାପଡ଼ା ବସ ଷ୍ଟାଣ୍ଡରେ ଜଣେ ଯୁବତୀ କାକଟପୁର ନିଜ ଘରକୁ ଯିବାକୁ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ କାରରେ ଚାରି ଜଣ ଆସି କାକଟପୁର ଘରକୁ ଛାଡ଼ି ଦେବା କହି ନାବାଳିକାକୁକ ଉଠାଇ ନେଇଥିଲେ। ଅଭିଯୁକ୍ତ ପୋଲିସର ପରିଚୟ ଦେଇ ନାବାଳିକାକୁ ନିମାପଡ଼ାରୁ ଉଠାଇ ପୁରୀ ନେଇ ଆସିଥିଲେ। ସେଠାରେ ଝାଡ଼େଶ୍ଵରୀ ମନ୍ଦିର ନିକଟସ୍ଥ ପୋଲିସ କ୍ଵାର୍ଟର୍ସରେ ଯୁବତୀଙ୍କୁ ଗଣ ବଳାତ୍କାର କରିଥିଲେ। ତେବେ ଯୁବତୀଙ୍କ ସହ ଅମାନୁଷିକ କାଣ୍ଡ କରିଥିବା ବେଳେ ପୀଡିତା ଜଣଙ୍କ ପର୍ସଙ୍କୁ ଅକ୍ତିଆର କରିନେଇଥିଲେ।  ପର୍ସରୁ ସେ ଜଣେ ପୋଲିସ କନେଷ୍ଟବଳ ବୋଲି ଜଣା ପଡିଥିଲା।

ଏହା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଟୀଙ୍କୁ ଗିରଫ କରିଥିଲା।  ୨୦ ଦିନ ଭିତରେ ମାମଲାର ଚାର୍ଜସିଟ୍ କରିବାକୁ ବ୍ୟବସ୍ଥା କରିବୁ ବୋଲି  କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ  କହିଛନ୍ତି।। ଏହାକୁ ସ୍ପେଶାଲ୍ କେସ୍ ଭାବେ ଗ୍ରହଣ କରି  ପୋଲିସ ୪ ଟି ଟିମ୍ ଗଠନ କରିଛି।  ଫାଷ୍ଟଟ୍ରାକରେ ମାମଲାର ବିଚାର କରିବାକୁ ଆମେ କୋର୍ଟରେ ନିବେଦନ କରିବୁ। ଏଥିପାଇଁ ସ୍ଵତନ୍ତ୍ର ଓକିଲ ଦେବୁ। ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ନାଁରେ ଆଉ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଚାକିରିରେ ନଥାଇ ମଧ୍ୟ ପୋଲିସ ପରିଚୟପତ୍ର ବ୍ୟବହାର ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଲିସ ପରିଚୟପତ୍ର ବ୍ୟବହାର ଏକ ଅପରାଧ ତେଣୁ ସେନେଇ ମାମଲା ରୁଜୁ ହୋଇଛି। ଦଫା ୩୬୩, ୩୭୬, ୩୯୪ ଏବଂ ୬ ପକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଛି। ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡିତାଙ୍କ ୧୬୪ ବୟାନ ରେକର୍ଡ ହୋଇଛି ବୋଲି ଡିଆଇଜି ଆଶିଷ ସିଂହ କହିଛନ୍ତି ।