ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ନିର୍ବାଚନ: ଅଗଷ୍ଟ ୧୦ରେ ମତଦାନ

ପୁରୀ: ଶ୍ରୀମନ୍ଦିରରେ ସୁଆର ଓ ମହାସୁଆର ନିଯୋଗର  ପ୍ରଭାବ ବେଶ ଅଧିକ ଥାଏ । ତେଣୁ ନୂତନ ସୁଆର ମହାସୁଆର ନିଯୋଗ ବୋର୍ଡ଼ ଗଠନ ପାଇଁ ଅଗଷ୍ଟ ୧୦ରେ ନିର୍ବାଚନ ହେବ ।

ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ଓ ଯୋଗାଣ ଏହି ନିଯୋଗର ଦାୟିତ୍ୱରେ ରହିଥାଏ । ନିଯୋଗ ମଧ୍ୟରେ ଏହା ସବୁଠାରୁ ଧନୀ । ତେଣୁ ଏହି ନିଯୋଗରେ ସାମିଲ ହେବାକୁ ରହିଥାଏ ସବୁଠାରୁ ଅଧିକ ପ୍ରତିଦ୍ୱ୍ୱନ୍ଦିତା । ନିଯୋଗର ନିୟମ ଅନୁଯାୟୀ ସମସ୍ତ ସଦସ୍ୟ ମିଶି ଏହି ନିଯୋର ୧୫ଜଣିଆ କମିଟି ପାଇଁ ସଦସ୍ୟ ନିର୍ବାଚନ କରିଥାନ୍ତି । ନୂଆ ବୋର୍ଡ଼ ଗଠନ ପାଇଁ ସୁଆର ମହାସୁଆର ନିଯୋଗ ନିର୍ବାଚନ ଅଗଷ୍ଟ ୧୦ରେ ହେବ । ଗତକାଲି ୩୭ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚାହୁଁଥିବା ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ଆସନ୍ତା ୨୭ ତାରିଖରେ ପ୍ରତ୍ୟାହାର କରିପାରିବେ ।  ଅଗଷ୍ଟ ୧୦ରେ ବୈକୁଣ୍ଠ ପରିସରରେ ଥିବା ନିଯୋଗ କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରାଯିବ ।

ସୁଆର ମହାସୁଆର ନିର୍ବାଚନ ପରେ ଏକ ବୋର୍ଡ଼ ଗଠିତ ହୁଏ ।  ସେମାନେ ନିଯୋଗର ସମ୍ପାଦକ ,ସଭାପତି, ଉପସଭାପତି, ସହ ସମ୍ପାଦକ ଓ କୋଷାଧ୍ୟକ୍ଷ ଓ ଅଡ଼ିଟର ଆଦି ପଦବୀରେ ମନୋନୀତ ହୁଅନ୍ତି । ପୂର୍ବ ସୁଆର ମହାସୁଆର ନିଯୋଗ ବୋର୍ଡ଼ ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଭାଙ୍ଗିଥିଲା । ପରେ ଅନେକ ଥର ଏହି ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ହୋଇପାରିନାହିଁ ଯାହା ଅଗଷ୍ଟ ୧୦ରେ ହେବାକୁ ଯାଉଛି ।