ବିପଦରେ ଶ୍ରୀମନ୍ଦିରରର ଗର୍ଭଗୃହ

ପୁରୀ:ଅବଢା ଯୋଜନାରେ ପୁରୀ ଓ ଶ୍ରୀମନ୍ଦିରରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଆସନ୍ତା ୩ ବର୍ଷରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଛନ୍ତି । ମନ୍ଦିରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ ହେଉଛି । ଆଖି ଝଲସିଲା ଡିଜାଇନ ପ୍ରସ୍ତୁତ ହୋଇ ରହିଛି  ।  କିନ୍ତୁ ଶ୍ରୀମନ୍ଦିରର ଗର୍ଭଗୃହ କଥା ସରକାର ଏକ ପ୍ରକାର ଭୁଲି ଯାଇଛନ୍ତି । ଗର୍ଭଗୃହର ମରାମତି ବାବଦରେ ସରକାର ତିଳେମାତ୍ର ଚିନ୍ତା କରୁଥିବା ନଜର ଆସୁନାହିଁ । ସେପଟେ ନାଟ୍ୟମଣ୍ଡପ ପ୍ରତି ମଧ୍ୟ ବିପଦ ଘନେଇବାରେ ଲାଗିଛି ।

ଗତ ଜୁଲାଇ ମାସ ୬ ତାରିଖରେ ବିଶେଷଜ୍ଞ କମିଟି ମନ୍ଦିର ଯାଂଚ କରି ଏକ ରିପୋର୍ଟ ପ୍ରଦାନ କରିଥିଲେ । ଯେଉଁଥିରେ ମନ୍ଦିର ପାଇଁ କଣ କରାଯିବା ଉଚିତ ତାହା ଉଲ୍ଲେଖ ରହିଥିଲା । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଥିଲା ଯେ, ଗର୍ଭଗୃହର ଚଟାଣ ସନ୍ତସନ୍ତିଆ ରହୁଛି । ଗୃହର କାନ୍ଥରେ ଧଳା ରଙ୍ଗର ଛାଫ ଲାଗିଛି । ରତ୍ନ ସିଂହାସନର ପଛରେ ଫିମ୍ପି ଲାଗିଯାଇଛି । ସଦାବେଳେ ଗର୍ଭଗୃହ ଓଦା ରହୁଥିବାରୁ ଏହା ମନ୍ଦିର ପାଇଁ ଭଲନୁହେଁ । ଏଥିପାଇଁ ଏକ ବିଶେଷଜ୍ଞ ଟିମ୍ ଗଠନ କରାଯିବା ଏହାର ବିଶ୍ଲେଷଣ କରାଯାଇ ନିରାକରଣ କରିବାକୁ ପ୍ରୟାସ କରାଯିବ । ସହିଭଳି ଦୀପ ଜଳିବା ହେତୁ କାନ୍ଥରେ କଳାରଙ୍ଗର ମୋଟା ଆସ୍ତରଣ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା । ଆହୁରି ମଧ୍ୟ ମହାପ୍ରସାଦ ଓ ସଦାବେଳେ ଗର୍ଭଗୃହ ଧୁଆ ହେଉଥିବା ହେତୁ ଓଦା ରହି ଅସରପାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବିଶେଷଜ୍ଞମାନେ ସୂଚାଇଥିଲେ ।

ଫନି ପରେ ଗର୍ଭଗୃହରୁ ପାଣି ଗଳୁଥିବା, ନଳାରେ ବର୍ଷା ପାଣି ନିସ୍କାସନ ହୋଇପାରୁ ନଥିବା ଓ ବାର୍ଷିକ ଥରେ ମାତ୍ର ଏହାକୁ ସଫା କରାଯାଉଥିବା ହେତୁ ବିଶେଷଜ୍ଞମାନେ ଉଦବେଗ ମଧ୍ୟ ପ୍ରକାଶ କରିଥିଲେ ।    ରିପୋର୍ଟ ପ୍ରଦାନକୁ ଇତି ମଧ୍ୟରେ ୪ମାସ ପୁରିଲାଣି । କିନ୍ତୁ ଏଥିପାଇଁ ସରକାର କୌଣସୀ ବିହୀତ ପଦକ୍ଷେପ ନେବାଭଳି ମନେହେଉନାହିଁ । ଏପରିକି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏଏସଆଇ ଉପରକୁ ଦାୟିତ୍ୱ ଠେଲି ଦେଇଛନ୍ତି । ମନ୍ଦିର ରକ୍ଷଣାବେକ୍ଷଣ କରିବା ଦାୟିତ୍ୱ ଏଏସଆଇର ଏବଂ ଯଦି କିଛି ଏଏସଆଇ ସହଯୋଗ ମାଗେ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ସେ କହିଛନ୍ତି ।  ଗୋଟିଏ ପଟେ ଉପରୁ ପୁରୀକୁ ସୁନ୍ଦର କରି ବିଶ୍ୱ ପର୍ଯ୍ୟଟନସ୍ଥଳୀରେ ସ୍ଥାନ ଦେବାକୁ ସରକାର ସ୍ୱପ୍ନ ଦେଖୁଥିବା ବେଳେ ଗର୍ଭଗୃହ କଥା ଯେ ପାଷୋରି ଯାଇଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡୁଛି ।