ମହାପ୍ରଭୁଙ୍କୁ ଦର୍ଶନ କେଲ ଗଜପତି ମହାରାଜ; ସାଙ୍ଗରେ ଥିଲେ ଝିଅ, ଜ୍ୱାଇ ଓ ପରିବାରବର୍ଗ

ପୁରୀ: ଗଜପତି ମହାରାଜ ଆଜି ରାତିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହି ଦର୍ଶନରେ ମହାରାଜଙ୍କ ସହ ଝିଅ, ଜ୍ୱାଇଁ ସମେତ ନାତୁଣୀ, ସମୁଦି ଓ ସମୁଦୁଣୀ ମଧ୍ୟ ଉପସ୍ଥିତ ଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାରାଜ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରି ଦର୍ଶନ ସରିବା ପରେ ପୁନର୍ବାର ସେହି ବାଟ ଦେଇ ଫେରିଥିଲେ ।

ମହାରାଜ ଘଂଟାଏରୁ ଅଧିକ ସମୟ ଶ୍ରୀମନ୍ଦିରରେ ବିତାଇଥିଲେ। ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ପରେ ମହାରାଜ ପ୍ରଥମେ ବଟଗଣେଶଙ୍କୁ ଦର୍ଶନ କରିଥିଲେ। ପରେ ଗରୁଡ଼ ସ୍ତମ୍ଭ ଦେଇ ରତ୍ନ ସିଂହାସନ ନିକଟକୁ ଯାଇଥିଲେ। ସେଠାରେ ପ୍ରଥମେ ବଡ଼ଠାକୁର ବଳଭଦ୍ର, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ‌ଶେଷରେ ମା’ ସୁଭଦ୍ରାଙ୍କୁ ପ୍ରଣାମ କରି ରତ୍ନ ସିଂହାସନ ପରିକ୍ରମା କରିଥିଲେ। ଏହି ସମୟରେ ଝିଅ, ଜ୍ୱାଇଁ ଓ ଅନ୍ୟମାନେ ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ‌ପରେ ବେହରଣ ଦ୍ୱାର ଦେଇ ବାହାରକୁ ବାହାରିବା ପରେ ବେଢ଼ା ପରିକ୍ରମା କରିଥିଲେ। ମା’ ବିମଳା ଓ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ ପରେ ମୁକ୍ତିମଣ୍ଡପସ୍ଥିତ ଆଦି ନୃସିଂହଙ୍କୁ ଦର୍ଶନ କରିଥିଲେ। ଫେରିବାବେଳେ ପୁନର୍ବାର ବଟଗଣେଶଙ୍କୁ ଦର୍ଶନ କରି ଫେରିଥିଲେ।

ସୂଚନାଥାଉକି, ଯେଉଁ ସମୟରେ ଗଜପତି ମହାରାଜ ରାଜନୀତି କରିବାକୁ ଶ୍ରୀମନ୍ଦିର ଯାଇଥାନ୍ତି, ସେହି ସମୟରେ ସେ ସିଂହଦ୍ୱାର ଦେଇ ଯାଇଥାନ୍ତି। ଛେରା ପହଁରାଠାରୁ ଆରମ୍ଭ କରି ଆଦି ସେବକ ଭାବେ ଯାହାକିଛି ସେବା କାର୍ଯ୍ୟ କରିବାକୁ ଯାଇଥାନ୍ତି, ସେହି ସମୟରେ ସିଂହଦ୍ୱାର ଦେଇ ଯାଇଥାନ୍ତି। ଅନ୍ୟ ସମୟରେ ଦକ୍ଷିଣଦ୍ୱାର ଦେଇ ଗଜପତି ମହାରାଜ ଶ୍ରୀମନ୍ଦିରକୁ ଯାଇଥାନ୍ତି ଓ ସେହି ଦ୍ୱାର ଦେଇ ପୁନର୍ବାର ଫେରିଥାନ୍ତି।