ବାହୁଡାଯାତ୍ରା : ସିଂହଦ୍ଵାରରେ ପହଞ୍ଚିଲା ତିନି ରଥ

ପୁରୀ  : ଜନ୍ମବେଦୀରେ ଲୀଳାଖେଳା ସାରି ସିଂହଦ୍ଵାର ନିକଟକୁ ବାହୁଡ଼ି ଆସିଛି ତିନି ରଥ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪ ଘଣ୍ଟା ପୂର୍ବରୁ ପହଣ୍ଡି ଓ ରଥଟଣା ହୋଇଥିଲା। ରଥଯାତ୍ରା ପରି ବାହୁଡାଯାତ୍ରା ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ସମ୍ପାଦିତ ହୋଇଛି। ଆଜି ଭକ୍ତମାନେ ଘରେ ରହି ଟିଭିରେ ଶ୍ରୀଜୀଉଙ୍କ ବାହୁଡ଼ା ପର୍ବର ଦର୍ଶନ କରିଥିଲେ। ଆଜି ସଅଳ ସଅଳ ସବୁକିଛି ହୋଇଥିଲା। ୪ ଘଣ୍ଟା ପୂର୍ବରୁ। ଗତକାଲି ସନ୍ଧ୍ୟାଧୂପ ପରେ ଶୀଘ୍ର କୁସୁମୀ ଓ ସେନାପଟା ଲାଗି ସରିଥିଲା। ଆଜି ସକାଳ ୭.୪୦ ରେ ପହଣ୍ଡି ଆରମ୍ଭ ହୋଇଥିଲା। ୧୦.୨୦ରେ ଶେଷ ହୋଇଥିଲା। ୧୦.୨୫ ରୁ ୧୦.୪୫ ମଧ୍ୟରେ ମଦନମୋହନ, ରାମ କୃଷ୍ଣ ବିଜେ ହୋଇଥିଲେ। ସୁଦର୍ଶନଙ୍କ ପରେ ଆଗରେ ବଡ଼ଭାଇ ବଳଭଦ୍ର, ପଛରେ ଭଉଣୀ ସୁଭଦ୍ରା ଓ ଶେଷରେ ଜଗା କାଳିଆ । ଘଣ୍ଟଘଣ୍ଟା, କାହାଳୀ ହରିବୋଲ, ଜୟ ଜଗନ୍ନାଥ ଧ୍ବନି ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଦେଇ ପହଣ୍ଡିରେ ରଥକୁ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି । ତିନି ରଥରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ । ଚାରମାଳ ଫିଟା ପରେ ଆରମ୍ଭ ହୋଇଥିଲା ରଥଟଣା । ସେପଟେ ତିନି ରଥ- ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷକୁ ନିର୍ଦ୍ଦିଷ୍ଟ ସେବାୟତମାନେ କ୍ରମାନ୍ବୟରେ ଶ୍ରୀମନ୍ଦିର ଆଡ଼କୁ ଭିଡ଼ି ନେଇଥିଲେ । ଏହାପରେ ଗଜପତି ମହାରାଜ ତାମଯାନରେ ରଥ ନିକଟକୁ ଆସି ତିନି ରଥରେ ଛେରାପହଁରା କରିଥିଲେ। ଚାରମାଳ ଖୋଲାଯାଇ ଘୋଡା ଯୋଚାଯିବା ପରେ ପ୍ରଥମେ ୧୨.୨୦ରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ, ପରେ ପରେ ୧୨.୫୫ ଦେବଦଳନ ଗଡ଼ିଥିଲା। ଅପରାହ୍ନ ୧.୨୦ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ସିଂହଦ୍ବାର ଅଭିମୁଖେ ଗଡ଼ିଥିଲା।
ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତ୍ୟେକଟି ରାସ୍ତାକୁ ସିଲ କରାଯାଇଥିଲା। ପାଟ୍ରୋଲିଂ ଗାଡି ତୁହାକୁ ତୁହା ପଇଁତରା ମାରୁଥିଲା। କୌଣସି ଛାତ କି ବାଲକୋନି ଉପରେ କେହି ବି ଆସିବାକୁ ସାହସ କରିନଥିଲେ। ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।  ପ୍ରତ୍ୟକ ରଥ ଟାଣିବା କାର୍ଯ୍ୟରେ ନିୟୋଜିତ ଥିଲା ୫୦୦ ସେବାୟତ।

puri bahuda jayatra