ବିକ୍ରି ହୋଇନି ପୁରୀ ବଗଳା ଧର୍ମଶାଳା : ପୁରୀ ଜିଲ୍ଲା ପ୍ରଶାସନ

ପୁରୀ : ବିକ୍ରି ହୋଇନି ବଗଳା ଧର୍ମଶାଳା । ବଗଳା ଧର୍ମଶାଳା ଜମି ବି କାହାରିକୁ ଆବଣ୍ଟନ କରାଯାଇନି । ପୁରୀ ଜିଲ୍ଲା ପ୍ରଶାସନକୁ ଦାନ ଶୁତ୍ରରେ ମିଳିଥିବା ବଗଳା ଧର୍ମଶାଳାକୁ ନେଇ ବିବାଦିୟ ସ୍ଥିତି ଥିବାବେଳେ  ବଗଳା ଧର୍ମଶାଳା ବିକ୍ରି ହୋଇନି ବୋଲି ସ୍ଫଷ୍ଟ କରିଛି ପୁରୀ ଜିଲ୍ଲା ପ୍ରଶାସନ । ବଗଳା ଧର୍ମଶାଳା ବିକ୍ରି ହୋଇ ନଥିବା ନେଇ ନକ୍ସା ସହ ପ୍ରେସ ନୋଟ ଜାରି କରିଛି ପୁରୀ ଜିଲ୍ଲା ପ୍ରଶାସନ ।  ଏଥିରେ ଉଲ୍ଲେଖ ଅଛି ଯେ,   ପୁରୀର ଖାତା ନମ୍ବର ୨୪୨ ଏବଂ ୧୫୦ର ବଳଗଣ୍ଡି ମୌଜାର ୨ ଏକର ୭୩୮ ଡିସିମିଲି ଜମିରେ ରହିଛି । ପୂର୍ବରୁ ଲଜିଂ ହାଉସ ଫଣ୍ଡ କମିଟି ମାଲିକାନାରେ ଥିବା ଏହି ଧର୍ମଶାଳାରେ ୨ଶହ ଭକ୍ତ ରହିବାର ସୁବିଧା ଅଛି । ଏବେ ଘରୋଇ ଲଜିଂ ମାଲିକଙ୍କୁ ଏହି ଧର୍ମଶାଳା ଆବଣ୍ଟନ କି ବିକ୍ରି ହୋଇ ନାହିଁ ବୋଲି ସ୍ପଷ୍ଟ କରିଛି ପ୍ରଶାସନ । ମୋଟ ଜମିର  କେବଳ ୧୨ ପ୍ରତିଶତ ଜମି ଶ୍ରୀମନ୍ଦିରଠୁ ୭୫ ମିଟର କରିଡୋର ଭିତରେ ସୌନ୍ଦର୍ଯ୍ୟକରଣ ପାଇଁ ଜମି ହରାଇଥିବା ସେବାୟତ, ଏବଂ ଲୋକଙ୍କୁ ଥଇଥାନ କରିବା ଲାଗି ବ୍ୟବହାର ହୋଇଛି ବୋଲି ପୁରୀ ଜିଲ୍ଲା ପ୍ରଶାସନ କହିଛି।

ପୁରୀର ବଗଲା ଧର୍ମଶାଳାକୁ ବିକ୍ରି କରିଦେବା ଖବର ସଂପୁର୍ଣ୍ଣ ବିଭ୍ରାନ୍ତିକର ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏନେଇ ବିଭିନ୍ନ ସ୍ତରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହି ଜମି ବିକ୍ରି ନେଇ ସଂପୁର୍ଣ୍ଣ ତଥ୍ୟ ଜିଲ୍ଲାପ୍ରଶାସନ ଏକ ପ୍ରେସ ବିବୃତି ଜରିଆରେ ଦେଇଛି।

୧-ପ୍ରଶାସନ ଦେଇଥିବା ତଥ୍ୟ ଅନୁଯାୟୀ ବଗଲା ଧର୍ମଶାଳାର ମୁଖ୍ୟ କୋଠାକୁ କାହାକୁ ଏଯାବତ୍ ବିକ୍ରି କରାଯାଇନାହିଁ।

୨-ପ୍ରାୟ ୨ ଏକର ୭୩୮ ଡେସିମିଲ ଜମିରୁ ମାତ୍ର ୧୨ ପ୍ରତିଶତ ଜମି ବିସ୍ଥାପିତ ସେବାୟତ ଓ ଜମି ହରାଇଥିବା ବ୍ୟକ୍ତିଙ୍କୁ ଦିଆଯାଇଛି। ଶ୍ରୀମନ୍ଦିର ଚତୁପାର୍ଶ୍ବ ୭୫ ମିଟର ଅଞ୍ଚଳରେ ଶତାଧିକ ବର୍ଷ ଧରି ଥିବା ସେବାୟତ ନିଯୋଗକୁ ମାତ୍ର ୨ ଏକର ୭୩୮ଡିସିମିଲି ଜମି ମଧ୍ୟରୁ ୩୪ ଡିସିମିଲି ଜମି ବ୍ୟବହାର ପାଇଁ ଦିଆଯାଇଛି।

୩- ବଗଲା ଧର୍ମଶାଳାରେ କେବଳ ୨ ଶହ ତୀର୍ଥଯାତ୍ରୀଙ୍କ ରହିବାର ବ୍ୟବସ୍ଥା  ରହିଥିଲା। କିନ୍ତୁ ରାଜ୍ୟ ସରକାର ଗରୀବ ତୀର୍ଥଯାତ୍ରୀ ପାଇଁ ପ୍ରାୟ ୧୦ ହଜାର ଭକ୍ତ ରହିବାର ଯୋଜନା କାର୍ଯ୍ୟକାରୀଷକରିବାକୁ ଯାଉଛନ୍ତି।

୪- ରାଜ୍ୟ ସରକାରଙ୍କ ପୁନଃବାସ ଓ ଥଇଥାନ ନୀତି ଅନୁଯାୟୀ ଏହି ଜମି ଦେବା କାର୍ଯ୍ୟ ରାଜ୍ୟ କ୍ୟାବିନେଟ ଦ୍ବାରା ଅନୁମୋଦିତ ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏହା ଜରୁରୀ ଅଟେ।

୫- ବଗଲା ଧର୍ମଶାଳାର ଏହି ଜମି ପୂର୍ବରୁ ଲଜିଂ ହାଉସ ଫଣ୍ତ କମିଟି ନାମରେ ରହିଥିଲା। ଏହି ସଂସ୍ଥା ଉଛେଦ ହେବାପରେ ଜମି ରାଜସ୍ବ ବିଭାଗ ନାମରେ କରାଯାଇଛି।