ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ

ବଡ଼ଦାଣ୍ଡ ଶ୍ରୀକ୍ଷେତ୍ରର ବଡ଼ ଭକ୍ତ । ତାର ବଡ଼ପଣ ତା ବଡ଼ ଠାକୁର । ତା’ଉପରେ ନାଚିକୁଦି, ହଲି ଦୋହଲି ଯିଏ କରନ୍ତି ପହଣ୍ଡିବିଜେ । ଆକାଶକୁ ଛୁଇଁବା ଭଳି ବଡ଼ରଥ ଯେଉଁ ଦାଣ୍ଡ ଉପରେ ଦଣ୍ଡାୟମାନ । ପୁଣି ଯେଉଁ ଦାଣ୍ଡ ଉପରେ ଲକ୍ଷ ଲକ୍ଷ ଭକ୍ତ ଠୁଳ ହୁଅନ୍ତୁ ନା କାହିଁକି ସେ ସହି ନିଏ । ପୁସ୍ତକ ବର୍ଣ୍ଣନାରେ ବଡ଼ଦାଣ୍ଡ ପ୍ରକୃତରେ ବଡ଼ ଠାକୁରଙ୍କର ସେବକ, ବିରାଟ ଓଡ଼ିଆ ଜାତିର ବଡ଼ ଭାବନା ଓ ବଡ଼ ହୃଦୟର ପ୍ରତୀକ । ଏକ ପୁରାତନ ସହର ମଧ୍ୟରେ ଏଭଳି ଏକ ବିଶାଳ ଦାଣ୍ଡ ଅଛି ବୋଲି ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ । ବଡ଼ଦାଣ୍ଡର ଦୈର୍ଘ୍ୟ ଓ ପ୍ରସ୍ଥର ଗାଣିତିକ ହିସାବ ଦୃଷ୍ଟି ଗୋଚର ହୁଏ ନାହିଁ । ତେବେ ଏତିକି କହିହେବ ଯେ ତିନୋଟି ବଡ଼ ରଥ ଏକକାଳୀନ ଗୋଟିଏ ସରଳ ରେଖାରେ ସିଂହଦ୍ୱାର ସଂଲଗ୍ନ ବଡ଼ଦାଣ୍ଡରେ ରଖାଯିବା ସମ୍ଭବ । ତେଣୁ ବଡ଼ଦାଣ୍ଡର ଓସାର ଯେ କେତେ ବେଶି ଏଇଥିରୁ ଅନୁମାନ କରିହେବ ।