ମେ’ ୨୯ ତାରିଖଠାରୁ କାର୍ଯ୍ୟ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ

ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଶ୍ରୀ ଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପର ଅଗ୍ରଗତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ପୁରୀ ଓ ଭୁବନେଶ୍ୱରର ୨ଟି ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ପ୍ରକଳ୍ପ ଯଥା: ଶ୍ରୀ ଜଗନ୍ନାଥ ମନ୍ଦିର ଐତିହ୍ୟ ପ୍ରକଳ୍ପ ଧ ଶ୍ରୀ ଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି ।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ ଓ ଭୁବନେଶ୍ୱରର ଏହି ଦୁଇଟି ପ୍ରକଳ୍ପ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ । ଲକଡାଉନ୍ ଯୋଗୁଁ ଏହି କାମ ଦୁଇ ମାସ ଧରି ବନ୍ଦ ରହିଥିଲା । ତେବେ ଏହି କାର୍ଯ୍ୟକୁ ମେ’ ୨୯ଠାରୁ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କରୋନା ସଂଗ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ ଗାଇଡଲାଇନ୍ ଗୁଡିକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମାର୍କେଟ କମ୍ପେ୍ଲକ୍ସ ଏବଂ ମୂଷା ନଦୀର ସଂପ୍ରସାରଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି । ଆଉ ଅଳ୍ପ ଜମିର ଅଧିଗ୍ରହଣ ବାକି ରହିଛି । ଏହା ଖୁବଶୀଘ୍ର ପ୍ରାୟ ୨-୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହାସହିତ ଶ୍ରୀଜଗନ୍ନାଥ ହେରିଟେଜ କରିଡର, ବଡ଼ଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଲ୍ଡିଂର ପୁନର୍ବିକାଶ ପ୍ରକଳ୍ପ, ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଆଦି ପ୍ରକଳ୍ପ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଉଛି ।

ସେହିପରି ଲିଙ୍ଗରାଜ ମନ୍ଦିର ପ୍ରକଳ୍ପର ମଧ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି । ଜମି ଅଧିଗ୍ରହଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ମନ୍ଦିର ଓ ବିନ୍ଦୁସାଗର ମଧ୍ୟବର୍ତୀ ଅଂଚଳର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ । ଏଥିପାଇଁ ଯୋଜନା ଓ ଡିଜାଇନର କାର୍ଯ୍ୟର ପ୍ରସ୍ତୁତି ଚାଲିଛି । ବିନ୍ଦୁସାଗର ଓ ଅନ୍ୟାନ୍ୟ ତୀର୍ଥ ପୁଷ୍କରିଣୀର ଜଳକୁ ନୂତନ ବୈଷୟିକ ଜ୍ଞାନ ସହାୟତାରେ ସ୍ୱଚ୍ଛ କରିବା ଓ ଏହାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଭାରତ ସରକାରଙ୍କ ଇଣ୍ଡିଆନ୍ କେମିକାଲ ଇନଷ୍ଟିଚ୍ୟୁଟ ସହିତ ଖୁବଶୀଘ୍ର ଏକ ବୁଝାମଣା ପତ୍ର ସ୍ୱାକ୍ଷୀ କରାଯିବ ବୋଲି ବୈଠକରୁ ଜଣାଯାଇଛି ।

ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି), ପୂର୍ତ ସଚିବ, ପୁରୀ ଜିଲ୍ଲାପାଳ ଆଦି ଯୋଗ ଦେଇଥିଲେ ।