ବଲାଙ୍ଗୀର: ଚିଠି ଲେଖି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ସେ ବଲାଙ୍ଗୀର ଜେଲଙ୍କୁ ଇଂରାଜୀରେ ଏକ ଚିଠି ଲେଖିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ, ମା’ଙ୍କ ଦେହାନ୍ତ ପରେ ଧର୍ମୀୟ ପରମ୍ପରା ଅନୁସାରେ ସେ ଲଣ୍ଡା ହେବେ । ଯାହାକୁ ନେଇ ସେ ଜେଲକୁ ଏହି ଚିଠି ଦ୍ୱାରା ଅନୁରୋଧ କରିଛନ୍ତି ।
ମିଳଥିବା ସୂଚନା ଅନୁସାରେ, ଚିଠିରେ ପୁଞ୍ଜିଲାଲ ଦର୍ଶାଇଛନ୍ତି ଯେ ‘ମୋର ମା’ଙ୍କ ମୃତ୍ୟୁ ଘଟିଛି। ପରମ୍ପରା ଅନୁସାରେ ଆସନ୍ତାକାଲି ସକାଳୁ ମୁଁ ଲଣ୍ଡା ହେବି। ଏହାର ସତ୍ୟତା ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଅନୁରୋଧ।’
ଏହି ଚିଠିରେ କିଛି ଅସ୍ବାଭାବିକତା ନଥିଲେ ମଧ୍ୟ ଏହା ତାଙ୍କର ଏକ ପୁରୁଣା ଚିଠି କଥାକୁ ମନେ ପକାଇ ଦେଇଛି। ପାର୍ସଲ ବୋମା ଘଟଣା ନେଇ ସାରା ରାଜ୍ୟ ଓ ପୁଲିସ ବିଭାଗ ସଂପୂର୍ଣ୍ଣ ଅନ୍ଧାରରେ ରହିଥିବା ବେଳେ ପୁଞ୍ଜିଲାଲଙ୍କ ଏକ ଚିଠିର କିଛି ଶବ୍ଦ ହିଁ ତାଙ୍କୁ ସନ୍ଦେହ ପରିସରକୁ ଆଣିଥିଲା। ତତ୍କାଳୀନ କ୍ରାଇମବ୍ରାଂଚ ଟିମ୍ ଏହି ଚିଠିରୁ ଖିଅ ବାହାର କରି ପୁଞ୍ଜିଲାଲଙ୍କ ନିକଟରେ ପହଞ୍ଚିଥିଲା ଓ ସେ ହିଁ ମାଷ୍ଟରମାଇଣ୍ଡ ବୋଲି ଜାଣିପାରିଥିଲା। ଏଥର ମଧ୍ୟ ପୁଞ୍ଜିଲାଲ ଇଂରାଜୀରେ ଚିଠି ଲେଖିଥିବାରୁ ସ୍ବାଭାବିକ ଭାବେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ, ଗତକାଲି ମା’ଙ୍କ ଶେଷକୃତ୍ୟ ସାରି ପୁଞ୍ଜିଲାଲ ସଂଧ୍ୟା ୫ଟା ୪୫ମିନିଟରେ ବଲାଙ୍ଗୀର ଜେଲ୍ରେ ନିଜ ସେଲ୍ ଭିତରେ ଥିବା ଜେଲର୍ ସଂଜୟ ବର୍ମା ସୂଚନା ଦେଇଛନ୍ତି।
ତାଙ୍କର ଏବେ ବି ପୂର୍ବଭଳି କଥାବାର୍ତା , ସେଇ ଦର୍ପିତ ଠାଣି ଥିବା ଜଣାପଡ଼ିଛି। ଜେଲ୍ ଭିତରେ ପୁଞ୍ଜିଲାଲ ସାଇକିଆଟ୍ରିକ୍ ଔଷଧ ସେବନ କରୁଥିବା ସୂଚନା ମିଳିଛି। ଜେଲ୍ କର୍ତୃପକ୍ଷ ମଧ୍ୟ ଏହାକୁ ସ୍ବୀକାର କରୁଛନ୍ତି।
ଅନ୍ୟପକ୍ଷରେ, ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି ପୁଞ୍ଜିଲାଲଙ୍କ ପତ୍ନୀ ସୌଦାମିନୀ ମେହେର। ଶ୍ରୀ ବୋଥ୍ରାଙ୍କୁ ‘ପାଟଣାଗଡ଼’ ସିନେମାର ପ୍ରମୋଟର ଭାବେ ଚିତ୍ରଣ କରିବା ସହ ୧୫ ଦିନ ମଧ୍ୟରେ ନିଃସର୍ତ କ୍ଷମା ପ୍ରାର୍ଥନା ନ କଲେ ୨୦ ଲକ୍ଷ ଟଙ୍କାର ମାନହାନି କ୍ଷତିପୂରଣର ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ନୋଟିସ୍ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଅନୁରୋଧ କରିଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଗୃହ ସଚିବଙ୍କୁ ଏ ସଂପର୍କରେ ଅନୁଧ୍ୟାନ ପାଇଁ ଚିଠି ଆସିଥିବା ମଧ୍ୟ ଜଣାପଡ଼ିଛି। ଏହି ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ସୌଦାମିନୀଙ୍କ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ଶ୍ରୀ ବୋଥ୍ରା। ଏ ସଂପର୍କରେ କହିଛନ୍ତି ପାଟଣାଗଡ଼ ଘଟଣାରେ ସେ କେବଳ ଜଣେ ପୋଲିସ ଅଧିକାରୀଭାବେ ତାଙ୍କ ତଦନ୍ତକାର୍ଯ୍ୟ କରିଛନ୍ତି। ପାଟଣାଗଡ଼ ଫିଲ୍ମ ସହ ତାଙ୍କର କୌଣସି ପ୍ରକାର ସଂପର୍କ ନାହିଁ। ସୌଦାମିନୀଙ୍କ ନୋଟିସ୍ ସେ ପାଇଛନ୍ତି ଓ ଏହା ଉପରେ ଆଇନ ଅନୁସାରେ କାର୍ଯ୍ୟ କରିବେ ବୋଲି ଶ୍ରୀ ବୋଥ୍ରା ସୂଚନା ଦେଇଛନ୍ତି।