ଶେଷ ହେଲା ଜାମିନ୍ ଅବଧି; ଏଡିଜେ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

ପାଟଣାଗଡ: ପାଟଣାଗଡ ପାର୍ସଲ ବୋମା ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ପାଟଣାଗଡ ଏଡିଜେ କୋର୍ଟରେ ହାଜର ହୋଇଛନ୍ତି । ସର୍ତମୂଳକ ଜାମିନ ଶେଷ ହୋଇଥିବାରୁ ସେ କୋର୍ଟରେ ହାଜର ହୋଇଛି । ଏଠାରୁ ତାଙ୍କୁ ପୁଣି ବଲାଙ୍ଗୀର ଜିଲ୍ଲା କାରାଗରକୁ ‌ନିଆଯିବ ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, ଗତ ୧୦ ତାରିଖ ଦିନ ତାଙ୍କ ମା’ ଇନ୍ଦୁମତୀଙ୍କ ଦେହାନ୍ତ ହୋଇଥିଲା। ଶୁଦ୍ଧିକ୍ରିୟା ପାଇଁ ହାଇକୋର୍ଟରେ ଜାମିନ ଆବେଦନ କରି ପୁଞ୍ଜିଲାଲ ୪ଦିନିଆ ସର୍ତମୂଳକ ଜାମିନରେ ଆସିଥିଲେ। ଏହି ଅବସରରେ ଶୁଦ୍ଧିକ୍ରିୟା ସହ ମା ଇନ୍ଦୁମତୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଗାୟତ୍ରୀ ଯଜ୍ଞ କରିଥିଲେ। ପାଟଣାଗଡ଼ ରାମପୁରସ୍ଥିତ ତାଙ୍କ ବାସଭବନରେ ସେ ଏହି ଯଜ୍ଞ ଆୟୋଜନ କରିଥିଲେ। ତେଣୁ ଏହା ପୂର୍ବରୁ ସେ ସମସ୍ତ ରୀତିନୀତି ସଂପନ୍ନ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଗତିବିଧିକୁ ନଜର ରଖିବା ପାଇଁ ସାଦା ପୋଷାକଧାରୀ ପୋଲିସ ୨୪ ଘଂଟା ମୁତୟନ ରହିଥିଲେ।