ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ଯବାନଙ୍କ ପରିବାର

ନୂଆଦିଲ୍ଲୀ : ଗତ ଫେବୃଆରୀ ୧୪ରେ ପୁଲଓ୍ଵାମାରେ ସହିଦ୍‌ ହୋଇ ଯାଇଥିବା ଯବାନଙ୍କ ପରିବାର ଲୋକ ଆଜି ମୋଦୀଜୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ବୋଲି ଜଣା ପଡ଼ିଛି । ଏହି ସମାରୋହରେ ମୋଟ ୬,୫୦୦ ଲୋକ ସାମିଲ ହେବାକୁ ଥିବା ବେଳେ ସେ ମଧ୍ୟରେ ସହିଦ୍‌ଙ୍କ ପରିବାର ମଧ୍ୟ ଉପସ୍ଥିତ ରହିବେ । ଏ ନେଇ ସେମାନଙ୍କୁ ପୂର୍ବରୁ ନିମନ୍ତ୍ରଣ କରାଯାଇ ସାରିଛି । ଆଜି ସଂନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁଥିବା ଶପଥ ଗ୍ରହଣ ସମାରୋହରେ ଅନେକ ବଡ଼ ବଡ଼ ନେତା ଯୋଗ ଦେବାକୁ ଥିବା ବେଳେ ଶାହି ଭୋଜନର ମଧ୍ୟ ବ୍ୟବସ୍ତା କରାଯାଇଛି । ଆଜି ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ସାରା ଦେଶ ଏହି ସମାରୋହ ଉପରେ ନଜର ରଖିଥିବା ବେଳେ ବଡ଼ ବଡ଼ ନେତା ମୋଦୀଙ୍କୁ ଏ ନେଇ ଶୁଭେଚ୍ଛାର ସୁଅ ଛୁଟାଇବା ଆରମ୍ଭ କରିଛନ୍ତି ।