ନ୍ୟୁୟର୍କ ଟାଇମ୍ସ, ୱାଲଷ୍ଟ୍ରିଟ ଜର୍ଣ୍ଣାଲକୁ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ : ପ୍ରମୁଖ ଇଂରାଜୀ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଓ ୱାଲଷ୍ଟ୍ରିଟ ଜର୍ଣ୍ଣାଲକୁ ସମ୍ମାନଜନକ ପୁଲିଜର ପୁରସ୍କାରରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ବିରୋଧରେ ପୃଥକ ଯାଞ୍ଚ ପୂର୍ବକ ରିପୋର୍ଟ ପ୍ରସ୍ତୁତ କରିଥିବାରୁ ଗଣମାଧ୍ୟମ ଦ୍ବୟକୁ ସାମ୍ବାଦିକତା କ୍ଷେତ୍ରର ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଟ୍ରମ୍ପଙ୍କ ପରିବାରର ଆର୍ଥିକ ସ୍ଥିତି, ଶୁଳ୍କ ପୈଠରେ ଖିଲାପ ତଥା ତାଙ୍କ ବ୍ୟବସାୟ ଋଣଭାରରେ ବୁଡି ରହିଥିବା ସମ୍ବନ୍ଧରେ ରିପୋର୍ଟ ପ୍ରସ୍ତୁତ କରିଥିବାରୁ ନ୍ୟୁୟର୍କ ଟାଇମ୍ସକୁ ଏହି ପୁରସ୍କାର ପାଇଁ ମନୋନୟନ କରାଯାଇଥିବା ପୁଲିଜର ବୋର୍ଡ ପ୍ରକାଶ କରିଛି। ଉଲ୍ଲେଖ ଯେ ୨୦୧୬ ନିର୍ବାଚନ ବେଳେ ଦୁଇ ମହିଳାଙ୍କୁ ଟ୍ରମ୍ପ ଅର୍ଥ ପ୍ରଦାନ କରିବା ଖବର ଏହି ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଟ୍ରମ୍ପଙ୍କ ସହିତ ସମ୍ପୃକ୍ତ ମହିଳା ଦ୍ବୟଙ୍କର ସମ୍ପର୍କ ଥିବା ଦର୍ଶାଯାଇଥିଲା। ଏ ସମ୍ବନ୍ଧୀୟ ରିପୋର୍ଟ କାରଣରୁ ୱାଲଷ୍ଟ୍ରିଟ ଜର୍ଣ୍ଣାଲ ଜାତୀୟ ଖବର ପ୍ରସାରଣ କ୍ଷେତ୍ରରେ ପୁରସ୍କୃତ ହୋଇଛି। ୨୦୧୮ ଅକ୍ଟୋବରରେ ସିନାଗୋଗ୍ୟୁଠାରେ ହୋଇଥିବା ଗୁଳିକାଣ୍ଡରେ ୧୧ ଜଣଙ୍କୁ ଗଣହତ୍ୟା ଘଟଣାର ଖବର ପ୍ରକାଶନ ପାଇଁ ପିଟସବର୍ଗର ପୋଷ୍ଟ-ଗେଜେଟକୁ ବ୍ରେକିଂ ନ୍ୟୁଜ ବର୍ଗରେ ସମ୍ମାନିତ କରାଯାଇଛି। ୟେମେନ ଯୁଦ୍ଧ ସମ୍ବନ୍ଧୀୟ ଖବର ପ୍ରସାରଣ କରି ଆସୋସିଏଟେଡ ପ୍ରେସ ଏବଂ ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ଆକ୍ରମଣ ଖବର ପ୍ରସାରଣ ପାଇଁ ରଏଟର୍ସକୁ ଅନ୍ତର୍ଜାତୀୟ ଖବର ପ୍ରସାରଣ କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବ୍ରେକିଂ ନ୍ୟୁଜ ଫଟୋଗ୍ରାଫି କ୍ଷେତ୍ରରେ ମଧ୍ୟ ରଏଟର୍ସ ଏହି ପୁରସ୍କାର ଲାଭ କରିଛି। ଏହାବ୍ୟତୀତ ଇତିହାସ ପାଇଁ ଡାଭିଡ ବ୍ଲିଟ, କବିତା ପାଇଁ ଫରେଷ୍ଟ ଗଣ୍ଡରଙ୍କୁ ଏବଂ ଏଲିନ ରେଡଙ୍କୁ ସଙ୍ଗୀତ ପାଇଁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି। କ୍ୟାପିଟାଲ ଗେଜେଟକୁ ଆମେରିକୀୟ ସାମ୍ବାଦିକତା କ୍ଷେତ୍ରରେ ପୁରସ୍କୃତ କରାଯାଇଛି।