ପବଜି ସମେତ ୧୧୮ ମୋବାଇଲ ଆପ୍‌ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଦୀର୍ଘ ଦିନରୁ ଜାରି ସୀମା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୋଦି ସରକାର ପବଜି ସମେତ ୧୧୮ଟି ମୋବାଇଲ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି  ।

ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଧାରା ୬୯ A ଅନୁଯାୟୀ ଏହି ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି।  ଅନେକ ଅଭିଯୋଗ ପାଇବା ପରେ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଏହି ଆପଗୁଡ଼ିକ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି  ବିବୃତ୍ତିରେ କୁହାଯାଇଛି  ।

ସରକାର ନିଷିଦ୍ଧ କରିଥିବା ୧୧୮ ଟି ମୋବାଇଲ୍ ଆପ୍ ମଧ୍ୟରେ ପବଜି,  APUS ଲଞ୍ଚର୍ ପ୍ରୋ ଥିମ୍, APUS ସିକ୍ୟୁରିଟି-ଆଣ୍ଟିଭାଇରସ୍, APUS ଟର୍ବୋ କ୍ଲିନର୍ ୨୦୨୦ , ଶାଓମିର ସେୟାର୍ ସେଭ୍, ଫେସ୍, କଟ୍ କଟ୍, ବାଇଡୁ, କ୍ୟାମକାର୍ଡ ଅନ୍ତର୍ଭୁକ୍ତ ।  ଏହା ବ୍ୟତୀତ ୱିଚାଟ ରିଡିଂ, ପିଟୁ, ଇନ୍ ନୋଟ୍, ସ୍ମଲ କୃ ବ୍ରଶ୍, ସାଇବର ହଣ୍ଟର୍, ଲାଇଫ୍ ଆଫ୍ଟର ଆଦି ଆପ୍ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି ।

ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ବାରା ଜାରି  ବିବୃତ୍ତିରେ ଏହି ମୋବାଇଲ୍ ଆପଗୁଡ଼ିକ ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଜ୍ୟର ସୁରକ୍ଷା ତଥା ଜନସାଧାରଣଙ୍କ ପାଇଁ ବିପଦ ଥିଲା ବୋଲି କୁହାଯାଇଛି । ମନ୍ତ୍ରଣାଳୟ କହିଛି ଯେ,  ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଅନେକ ମୋବାଇଲ୍ ଆପ୍ ଅଛି ଯାହା ବ୍ୟବହାରକାରୀଙ୍କ ସୂଚନା ଚୋରି କରୁଛି ।  ଏହି ଆପ୍‌ସ ବ୍ୟବହାରକାରୀଙ୍କ ସୂଚନା ଏବଂ ତଥ୍ୟ ଚୋରି କରୁଛି ଏବଂ ତାକୁ ବେଆଇନ ଭାବରେ ଭାରତ ବାହାରେ ପଠାଉଛି।  ଏହି ତଥ୍ୟ ଚୋରି ଭାରତର ଅଖଣ୍ଡତା, ସାର୍ବଭୌମତ୍ୱ ଏବଂ ସୁରକ୍ଷା ପ୍ରତି ବିପଦ ବୋଲି ସରକାର କହିଛନ୍ତି । ତେବେ ଡାଟା ଚୋରି ଏକ ଚିନ୍ତାର ବିଷୟ ଏବଂ ଏଥିପାଇଁ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଟିକ୍‌ଟକ୍‌ ସମେତ ଅନେକ ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଜୁନ ଶେଷରେ କେନ୍ଦ୍ର ସରକାର ଚୀନର ଲୋକପ୍ରିୟ ଆପ୍‌ ଟିକ୍‌ଟକ୍‌, ହେଲୋ ସମେତ ୫୯ ଚୀନ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାପରେ ଜୁଲାଇ ଶେଷରେ ୪୭ ଅନ୍ୟ ଚୀନ ଆପ୍‌ ଉପରେ କଟକଣା ଜାରି କରିଥିଲେ ।