ସାଇକୋ କିଲର୍‌ ନାରାୟଣ ଆଜି କୋର୍ଟ ଚାଲାଣ

କଟକ:କଟକ ସିରିଜି୍‌ ହତ୍ୟା କରି ଚାଞ୍ଚଲ୍ୟ ଖେଳାଇ ଦେଇଥିବା ନାରାୟଣ ସାହୁକୁ ଗିରଫ କରାଯାଇଛି । କଟକ ଓଏମ୍‌ପି ଛକରେ ହୋଇଥିବା ହତ୍ୟାକାଣ୍ଡରେ ନାରାୟଣର ସପୃକ୍ତି ରହିଛି । ତାକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି ।

ନାରାୟଣ ଓଏମ୍‌ପି ଅଂଚଳରେ ରହିବାକୁ ଚାହୁଁଥିଲେ । କିନ୍ତୁ ସେଠାରେ ତାଙ୍କୁ ରହିବାକୁ ଦିଆଯାଇ ନ ଥିଲା । ଫଳରେ ସେ ଉତ୍ତ୍ୟକ୍ତ ହୋଇଯାଇଥିଲା । ଏହା ପରେ ସେ ପ୍ରତିଶୋଧ ପରାୟଣ ହୋଇ ଲଗାତର ଦୁଇ ଜଣଙ୍କୁ ହତ୍ୟା କରିଥିଲା । ଘଟଣା ପରେ ସେ ଫେରାର ହୋଇଯାଇଥିଲା । ସେପଟେ ରାଣୀହାଟରେ ମଧ୍ୟ ସମାନ ଦିନରେ ଜଣଙ୍କୁ ହତ୍ୟା କରାଯାଇଥିଲା । କଟକ ପୋଲିସ ରାଉରକେଲା, କଟକ, ନୟାଗଡ଼ ସମେତ ୫ଟି ସ୍ଥାନରେ ଘନ ଘନ ଚଢ଼ାଉ କରିଥିଲା । ଏହା ପରେ ତାକୁ ନୟାଗଡ଼ରେ ଧରି ଅଟକ ରଖିଥିଲା । କିନ୍ତୁ ସେ ହତ୍ୟା କରିଥିବା ନେଇ କୌଣସି ଠୋସ୍‌ ପ୍ରମାଣ ପୋଲିସ ହାତରେ ଲାଗି ନ ଥିଲା । ତେବେ ସେ ହତ୍ୟା କାଣ୍ଡରେ ବ୍ୟବହାର କରିଥିବା କୁରାଡ଼ୀ ଜବତ କରାଯିବା ପରେ ତାର ଗୋଟିଏ ଗାମୁଛା ମଧ୍ୟ ପାଇଥିଲା । ଏହା ସହ ସିସିଟିଭି ଫୁଟେଜ୍‌କୁ ଆଧାର କରି ସେ ହତ୍ୟା କରିଥିବା ସ୍ୱୀକାର କରିବା ପରେ ଆଜି ଗିରଫ କରାଯାଇଛି ।

ଓଏମ୍‌ପିର ୨ଟି ହତ୍ୟାକାଣ୍ଡରେ ତା’ର ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇସାରିଛି । ରାଣୀହାଟ ମାମଲା ଏ ଯାଏଁ ସ୍ପଷ୍ଟ ହୋଇନି । ଆଜି ନାରାୟଣକୁ କୋର୍ଟ ଚାଲାଣ କରାଯିବ । ରାଣୀହାଟ ମାମଲାର ତଦନ୍ତ ପାଇଁ ତାକୁ ରିମାଣ୍ଡ ଅଣାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।