ଶିବକୁମାରଙ୍କ ଗିରଫକୁ ନେଇ କର୍ଣ୍ଣାଟକରେ ହିଂସା, ସ୍କୁଲ-କଲେଜ ବନ୍ଦ

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ସଙ୍କଟମୋଚକ ଭାବେ ପରିଚିତ ବରିଷ୍ଠ ନେତା ଡି.କେ.ଶିବ କୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି । ଏହାପରେ ଆଶାନ୍ତ ହୋଇ ଉଠିଛି ସହର । ପରିସ୍ଥିତି କ୍ରମଶଃ ଅଣାୟତ୍ତ ହେବାରେ ଲାଗିଛି । ଗିରଫ ପରେ ଦିଲ୍ଲା ଠାରୁ ବେଙ୍ଗାଲୁରୁ ସବୁଠି ତାଙ୍କ ସମର୍ଥନଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଅନେକ ସ୍ଥାନରେ କଂଗ୍ରେସ କର୍ମୀ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ କର୍ଣ୍ଣାଟକ ରାଜ୍ୟ ପରିବହନ ବସ୍‌କୁ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ ।

ସୂଚନା ଅନୁସାରେ ରାମନଗର ଠାରେ ୨ ବସ୍‌କୁ ବିକ୍ଷୋଭକାରୀ ଜଳାଇ ଦେଇଛନ୍ତି । ୧୦ଟି ବସ୍‌କୁ ପଥର ମାଡ କରି କାଚ ଭାଙ୍ଗିଛନ୍ତି ପ୍ରଦର୍ଶନକାରୀ । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରାମନଗରର ସମସ୍ତ ସ୍କୁଲ-କଲେଜକୁ ବନ୍ଦ ରଖାଯାଇଛି । ବେଲଗାମି ବାଗଲକୋଟ ଜାତୀୟ ରାଜପଥକୁ ପ୍ରଦର୍ଶନକାରୀ ବନ୍ଦ କରିଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ଶିବ କୁମାରଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଗତ ଶୁକ୍ରବାର ଦିନ ସମନ୍‌ କରିଥିଲା । ଚତୁର୍ଥ ଥର ପାଇଁ ସେ ଇଡିର ଖାନ୍‌ ମାର୍କେଟ ସ୍ଥିତ ମୁଖ୍ୟାଳୟରେ ଜେରା ପାଇଁ ଯାଇଥିଲେ । ଦୀର୍ଘ ସମୟ ଧରି ଜେରା କରିବା ପରେ ଇଡି ତାଙ୍କୁ ଗିରଫ କରିଛନ୍ତି ।