ଭୁବନେଶ୍ୱର: ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିବା ୪ ବିଜେଡି ପ୍ରାର୍ଥୀଙ୍କ ସମ୍ପତି ତଥ୍ୟ ସାମ୍ନାକୁ ଆସିଛି । ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ ମଧ୍ୟରୁ କେବଳ ଜଣେ ପ୍ରାର୍ଥୀ କୋଟିପତି ଥିବା ଜଣାପଡିଛି ।
ପ୍ରାର୍ଥୀଙ୍କ ପକ୍ଷରୁ ଦାଖଲ ଆଫିଡେଭିଟ୍ ଅନୁଯାୟୀ ସୁଜିତ କୁମାରଙ୍କ ପାଖରେ ବର୍ତ୍ତମାନ ୧କୋଟି ୧୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତି ରହିଛି। ସେହିଭଳି ଭାବରେ ମମତା ମହାନ୍ତଙ୍କ ପାଖରେ ୨୫ଲକ୍ଷ ୩ ହଜାର ଟଙ୍କାରୁୁ ଅଧିକ ସମ୍ପତି ରହିଥିବା ବେଳେ ସୁବାସ ସିଂହଙ୍କ ପାଖରେ ୨୩ ଲକ୍ଷ ୩୭ ହଜାର ଟଙ୍କାର ସମ୍ପତି ରହିଛି। ଚତୁର୍ଥ ପ୍ରାର୍ଥୀ ମୁନ୍ନା ଖାଁଙ୍କ ପାଖରେ ସର୍ବମୋଟ ୩୨ଲକ୍ଷ ୯୫ ହଜାର ଟଙ୍କାର ସମ୍ପତି ରହିଥିବା ସ୍ପଷ୍ଟ ହୋଇଛି।
ସୂଚନା ମୁତାବକ, ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ। ଏଠାରେ ସ୍ମରଣ କରାଇଦିଆଯାଇ ପାରେ ଯେ ଖାଲି ପଡ଼ିଥିବା ରାଜ୍ୟସଭା ଆସନଗୁଡ଼ିକ ନିମନ୍ତେ ଆସନ୍ତା ମାର୍ଚ ୨୬ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ।