ଆରପାରିରେ ଓଡ଼ିଆ ଫିଲ୍ମ ପ୍ରାଯୋଜକ ତୋଫାନ ତ୍ରିପାଠୀ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବରିଷ୍ଠ ଓଡିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ପରଲୋକ ହୋଇଛି। ଗତକାଲି ସମ୍ବଲପୁରରେ ସେ ଶେଷ ନିଶ୍ୱାସ ତ୍ୱାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସ୍ୱର୍ଗତ ତୋଫାନ ତ୍ରିପାଠୀ ଓଡିଆ ଚଳଚ୍ଚିତ୍ର ‘ସାଧନା’ ଓ ‘ଅଶାନ୍ତଗ୍ରହ’ର ପ୍ରଯୋଜକ ଥିଲେ। ୧୯୬୩ ମସିହାରେ ମୁକ୍ତିଲାଭ କରିଥିବା ‘ସାଧନା’ ଚଳଚ୍ଚିତ୍ର ଆଞ୍ଚଳିକ ଫିଲ୍ମଭାବେ ଜାତୀୟ ପୁରସ୍କାର ପାଇଥିଲା।


ସେପଟେ ତୋଫାନ ତ୍ରିପାଠୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ୍ କରି ଲେଖିଛନ୍ତି, ବିଶିଷ୍ଟ ଚଳଚ୍ଚିତ୍ର ତଥା ନିର୍ଦ୍ଦେଶକ ତୋଫାନ ତ୍ରିପାଠୀଙ୍କ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ । ସାଧନା, ଅଶାନ୍ତଗ୍ରହ ପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରି ସେ ଛାଡି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ନବୀନ ସମବେଦନା ଜଣାଇଛନ୍ତି ।