ଅଙ୍ଗଦାନ କରିଥିବା ସୁରଜଙ୍କ ନାଁରେ ପୁରସ୍କାର ଘୋଷଣା; ପିତାମାତାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁରଟରେ ଅଙ୍ଗଦାନ କରି ଅମର ହୋଇଥିବା ଓଡ଼ିଆ ପୁଅ ସୂରଜଙ୍କ ନାଁରେ ଏକ ପୁରସ୍କାର ପ୍ରତିଷ୍ଠା କରିଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ ରାଜ୍ୟରେ ସ୍ୱଇଚ୍ଛାରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ମିଳିବ ‘ସୁରଜ ପୁରସ୍କାର’ । ସୁରଜଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମସ୍ତିଷ୍କ ମୃତ୍ୟୁ ଘଟିଥିବା ଯୁବକ ପୁତ୍ରର ବିଭିନ୍ନ ଅଙ୍ଗ ଅନ୍ୟର ଜୀବନ ବଂଚାଇବା ପାଇଁ ଦାନ କରି ମହାନ୍ ଆଦର୍ଶ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ଲାଲସିଂ ଅଂଚଳର ବାବୁଲି ସେଠୀ ।
ସୁରଜ ପିତା ବାବୁଲି ସେଠୀ ଓ ମାତା ଗୀତାଞ୍ଜଳି ସେଠୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ମହାନ୍ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିବା ସହ ଏହା ସାରା ସମାଜ ଏକ ଆଦର୍ଶ ହେବା ସହିତ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ସହାୟକ ହେବ ବୋଲି କହିଥିଲେ ।

ସ୍ୱର୍ଗତ ସୁରଜ ସେଠୀଙ୍କ ପରିବାର ଗରିବ ହୋଇଥିବାରୁ ତାଙ୍କୁ ଏକ ଘରଡିହ ଜାଗା ସହିତ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାସହିତ ଅଙ୍ଗଦାନ କରି ଅନ୍ୟର ଜୀବନ ରକ୍ଷା ଭଳି ମହତ୍ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଏବଂ ଏ ଦିଗରେ ଭଲ କାର୍ଯ୍ୟ କରୁଥିବା ଅନୁଷ୍ଠାନମାନଙ୍କୁ ମଧ୍ୟ ସମ୍ମାନିତ କରିବା ପାଇଁ ସୁରଜଙ୍କ ନାମରେ ବାର୍ଷିକ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସୁରଜଙ୍କ ପିତାମାତାଙ୍କର ଏକ ଅଦ୍ୟନ୍ତ ବିରଳ ମାନବିକତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫ଲକ୍ଷ ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଥିଲେ ।

ନିକଟରେ ସୁରଟରେ କାର୍ଯ୍ୟରତ ତାଙ୍କ ପୁତ୍ର ସୁରଜ ଅକ୍ଟୋବର ୨୯ ତାରିଖ ଦିନ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । ହସ୍ପିଟାଲରେ ୫-୬ଦିନ ଜୀବନ ସହିତ ସଂଘର୍ଷ କରିବା ପରେ ନଭେମ୍ବର ୨ ତାରିଖ ଦିନ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା । ସ୍ଥାନୀୟ ଏନଜିଓ ସହାୟତାରେ ସୁରଜର ପିତାମାତାଙ୍କୁ ଯୋଗାଯୋଗ କରାଯାଇଥିଲା । ସେମାନଙ୍କ ଅନୁମତି କ୍ରମେ ସୁରଜଙ୍କ ଶରୀରରୁ ହୃତପିଣ୍ଡ, ଦୁଇ କିଡନୀ, ଲିଭର ଓ ୨ଟି ଆଖିକୁ କଢ଼ାଯାଇ ବିଭିନ୍ନ ସ୍ଥାନରେ ଅନ୍ୟବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନ ରକ୍ଷା କରାଯାଇଛି ।

ହୃତପିଣ୍ଡ ତୁରନ୍ତ ବିମାନ ଯୋଗେ ମୁମ୍ବାଇସ୍ଥିତ ଫର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ଜଣେ ମହିଳାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବାବେଳେ ୨ଟି ଯାଇ କିଡନୀ ଓ ଲିଭରକୁ ଅହମ୍ମଦାବାଦରେ ୩ଜଣଙ୍କ ଶରୀରରେ ଏବଂ ୨ ଆଖିକୁ ସୁରତର ୨ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା ।

ସୁରଜଙ୍କ ପିତାମାତା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ ।