ପ୍ରିୟଙ୍କାଙ୍କ ମିଶନ ୟୁପି : ଉତ୍ତରପ୍ରଦେଶରେ ପ୍ରିୟଙ୍କାଙ୍କ ମେଗା ରୋଡ୍ ସୋ

ୟୁପି :  ପ୍ରିୟଙ୍କାଙ୍କ ମିଶନ ୟୁପି । ଉତ୍ତରପ୍ରଦେଶରେ ପ୍ରିୟଙ୍କା, ରାହୁଲ ଏବଂ ସିନ୍ଧିଆଙ୍କ ମେଗା ରୋଡ୍ ସୋ । କଂଗ୍ରେସ ମହାସଚିବ ପ୍ରିୟଙ୍କା ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ନେବା ପରେ ଆଜି ଲକ୍ଷ୍ନୋରେ ରାଲି କରୁଛନ୍ତି ।  ଲକ୍ଷ୍ନୋ ଏୟାରପୋର୍ଟରୁ ପ୍ରଦେଶ କଂଗ୍ରେସ ଭବନ, ୧୨କିଲୋମିଟର ବିଶାଳ ରାଲି ଆରମ୍ଭ ହୋଇଛି । ପ୍ରିୟଙ୍କାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ୟୁପିର ଅନ୍ୟତମ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅଛନ୍ତି । ରୋଡ୍  ସୋ ସମୟରେ ପ୍ରାୟ ଶହେଟି ସ୍ଥାନରେ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଂଗ୍ରେସ ରାଜନୀତିରେ ପ୍ରିୟଙ୍କା ଗାନ୍ଧୀଙ୍କ ଏଣ୍ଟ୍ରି ପରେ ନେତା ଏବଂ କର୍ମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।

ଯେଉଁ ବସ୍ ରେ ପ୍ରିୟଙ୍କା ବସି ରୋଡ ସୋ କରୁଛନ୍ତି ତାହା ପଞ୍ଜାବରୁ ଆସିଛି । ବସ ଚାରିପଟେ ଲାଗିଛି ପୋଷ୍ଟର, ଯେଉଁଥିରେ ପ୍ରିୟଙ୍କାଙ୍କୁ ମାଆ ଦୁର୍ଗା ଭାବରେ ଦର୍ଶା ଯାଇଛି । କଂଗ୍ରେସ କର୍ମୀ ଏବଂ ନେତାଙ୍କ ଭିତରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଛି ।  ଉତ୍ତରପ୍ରଦେଶରେ କଂଗ୍ରେସର ସ୍ଥିତି ଅତି ଦୁର୍ବଳ ଥିବା ବେଳେ ଦଳକୁ ଜିତାଇବା ସହ ସଂଗଠନକୁ ମଜବୁତ କରିବା ପ୍ରିୟଙ୍କାଙ୍କ  ଆଗରେ ବଡ ଚାଲେଞ୍ଜ । ପ୍ରିୟଙ୍କାଙ୍କୁ ଇନ୍ଦିରାଙ୍କ ସହ ତୁଳନା କରାଯାଉଛି । ଭିଡ ଜୁଟାଇବାରେ ପ୍ରିୟଙ୍କାଙ୍କ ଚେହେରା କଂଗ୍ରେସ ପାଇଁ କାମ କରିବ । ତେବେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ହାତରେ ସମୟ କମ ।

ଏଣେ ଅନେକ ବର୍ଷ ଧରି କ୍ଷମତାଠୁ ଦୂରରେ ରହିବା ଫଳରେ ତୃଣମୂଳ ସ୍ତରରେ ସଂଗଠନ ବେଶ ଦୁର୍ବଳ ହୋଇ ପଡିଛି । ପ୍ରିୟଙ୍କା କଂଗ୍ରେସର ବଡ ଚେହେରା କିନ୍ତୁ ସ୍ବାମୀ ରବର୍ଟ ଭଦ୍ରାଙ୍କ ଉପରେ ଲାଗିଥବା ଅଭିଯୋଗ ତାଙ୍କ ଆଗରେ ବାଧା ହୋଇ ଠିଆ ହୋଇଛି । ଏହାସହ ପ୍ରିୟଙ୍କା ସହ କଂଗ୍ରେସରେ ପରିବାରବାଦ ଅଭିଯୋଗ ବି ଉଠୁଛି । ଏସବୁ ବାଧାକୁ ହଟାଇ ନିର୍ବାଚନ ବୈତରଣୀ ପାର କରାଇବା ପ୍ରିୟଙ୍କାଙ୍କ ପାଇଁ ବଡ ଚାଲେଞ୍ଜ ।