ବକେୟା ବିଲ୍ ନଦେଲେ ରୋଗୀଙ୍କ ମରଶରୀରକୁ ହସ୍ପିଟାଲ କର୍ତ୍ତୃପକ୍ଷ ଛାଡୁ ନ ଥିବା ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ମନମୁଖୀ କାମ ଚାଲୁଥିବା ନେଇ ସାଧାରଣ ଲୋକ ହଇରାଣ ହନ୍ତସନ୍ତ ହେଉଛନ୍ତି। ଟଙ୍କା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ମାନବିକତା ହରାଇ ବସୁଛନ୍ତି । ରୋଗୀଙ୍କ ଅବସ୍ଥାକୁ ଅଣଦେଖା କରି ହସ୍ପିଟାଲ କର୍ତ୍ତୃପକ୍ଷ ଟଙ୍କା ଆଦାୟ କରିବାରେ ଲାଗିପଡ଼ିଛନ୍ତି । ବାକି ପଡ଼ିଥିବା ବିଲ୍ ନଦେଲେ ରୋଗୀଙ୍କ ମରଶରୀରକୁ ହସ୍ପିଟାଲ କର୍ତ୍ତୃପକ୍ଷ ଛାଡୁ ନଥିବା ପ୍ରସଙ୍ଗ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଶୂନ୍ୟକାଳରେ ଉଠାଇଛନ୍ତି । ଅଫିସରସ୍ତରୀୟ କମିଟି ଗଠନ କରି ଏଭଳି ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଯାଇଛି । ଲିଖିତ ଅଭିଯୋଗ ଉପରେ ସ୍ୱାସ୍ଥ୍ୟ ବିଭାଗରେ ଏକ ସ୍ୱତନ୍ତ୍ର କମିଟି ଗଠନ ହୋଇଛି । କମିଟି ପ୍ରଥମେ ରିପୋର୍ଟ ଦାଖଲ କରିବ ଆଉ ତା’ପରେ ଆଇନ୍‌ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱାସ୍ଥ୍ୟ ବିଭାଗକୁ ଯଦି କୌଣସି ସାଧାରଣ ଲୋକ ଅଭିଯୋଗ କରୁଛି, ତେବେ ସମସ୍ୟାର ତୁରନ୍ତ ସମାଧାନ କରାଯିବ । ବ୍ୟକ୍ତିଗତ ଅଭିଯୋଗ ଆଧାରରେ ମଧ୍ୟ ତଦନ୍ତ ହେଉଛି । ଲୋକଙ୍କ ସେବାପାଇଁ ସରକାର ସବୁବେଳେ ଚେଷ୍ଟାରତ।

ଏହା ବ୍ୟତୀତ ଆଜି ବିଧାନସଭାରେ ମାଲକାନଗିରି ପ୍ରସଙ୍ଗ ଉଠିଛି । ଦାରିଦ୍ର୍ୟ ଯନ୍ତ୍ରଣାରେ ଅତିଷ୍ଠ ହୋଇ ନିଜର ଦୁଇ ଛୁଆକୁ ବିଷ ପିଆଇ ନିଜେ ଆତ୍ମହତ୍ୟା କରିବା ଘଟଣା ସଂପର୍କରେ ଆଜି ବିଧାନସଭା ଶୂନ୍ୟକାଳରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡି ଉଠାଇଛନ୍ତି ।

ଏହି ଘଟଣାରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଉଦବେଗ ପ୍ରକାଶ କରିଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।