ରାଜ୍ୟରେ ବଢ଼ିବ କରୋନା ଟିକାକରଣ କେନ୍ଦ୍ର ସଂଖ୍ୟା, ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି

ଘରୋଇ ହସ୍ପିଟାଲରେ ଉପଲବ୍ଧ ଥିବା ସୁବିଧା ଯାଞ୍ଚ କରି ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ବଢ଼ିବ କରୋନା ଟିକାକରଣ କେନ୍ଦ୍ର ସଂଖ୍ୟା । ବିଏସକେୱାଇ ଓ ସିଜିଏପଏସ୍ ଅନ୍ତର୍ଭୁକ୍ତ ଘରୋଇ ହସ୍ପିଟାଲରେ କୋଭିଡ୍ ଟିକାରଣ ହେବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କ ସହ ସମସ୍ତ ମହାନଗର ନିଗମକୁ ଚିଠି ଲେଖିଛନ୍ତି ।

ସ୍ଥାନୀୟ ସ୍ତରରେ କୋଭିଡ୍ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ । ଏଥିପାଇଁ ବିଏସକେୱାଇ ଓ ସିଜିଏପଏସ୍ ଅନ୍ତର୍ଭୁକ୍ତ ଘରୋଇ ହସ୍ପିଟାଲରେ ଉପଲବ୍ଧ ଥିବା ସୁବିଧା ଯାଞ୍ଚ କରି ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ । ଘରୋଇ ହସ୍ପିଟାଲରେ ଆବଶ୍ୟକ କୋଲ୍ଡ ଚେନ୍ ସାମଗ୍ରୀ ଓ କ୍ଷମତା ଥିବା ଆବଶ୍ୟକ । ଏଥିସହ ଏକାଧିକ କଠୋରୀ, ଅପେକ୍ଷା ଗୃହ, ଟିକାକରଣ ଗୃହ ସହ ଟିକାକରଣ ପରେ ପର୍ଯ୍ୟବେକ୍ଷଣ ଲାଗି ସୁବିଧା ଥିବା ଆବଶ୍ୟକ । ଏଥିସହ ଟିକାକରଣ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ଚିକିତ୍ସା ଲାଗି ଘରୋଇ ହସ୍ପିଟାଲ ଆଗ୍ରହ ରଖୁଥିବା ଦରକାର ।

ଏସବୁ ମାନଦଣ୍ଡକୁ ଦେଖି ମହାନଗର ନିଗମ କମିଶନର ଓ ଜିଲ୍ଲାପାଳ ଘରୋଇ ହସ୍ପିଟାଲ ପ୍ରସ୍ତାବ ଦେବାକୁ କୁହାଯାଇଛି । ଜାନୁଆରୀ ୧୬ରୁ ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି । ପ୍ରାଥମିକ ପର୍ଯ୍ୟାୟରେ ସରକାରୀ ହସ୍ପିଟାଲରେ କରୋନା ଟିକା ଦିଆଯାଉଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଘରୋଇ ହସ୍ପିଟାଲରେ ଟିକା ଦେବାକୁ ନିଷ୍ପତ୍ତି ନିଆଯାଉଛି । ଏବେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକା ଦିଆଯାଉଛି ।

private covid vaccination centers rise in odisha