ବଜେଟ୍‌ ୨୦୧୯: ହାଲ୍‌ୱା ଉତ୍ସବରୁ ଆରମ୍ଭ ହେଲା ନଥି ପ୍ରିଣ୍ଟିଂ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାରମ୍ପରିକ ଭାବରେ ହାଲ୍‌ୱା ଉତ୍ସବ ଆୟୋଜନ କରି ବଜେଟ୍‌ ୨୦୧୯ ପାଇଁ ନଥି ପ୍ରିଣ୍ଟିଂ ଆରମ୍ଭ କରାଇଛନ୍ତି। ସାଧାରଣ ବଜେଟ୍‌ର ପ୍ରିଣ୍ଟି ବା ପ୍ରକାଶନ ସମୟରେ ପ୍ରତିବର୍ଷ ଏହି ହାଲ୍‌ୱା ଉତ୍ସବ ଆୟୋଜିତ କରାଯାଇଥାଏ। ନିର୍ମଳା ସୀତାରମଣ ଆସନ୍ତା ଜୁଲାଇ ୫ ତାରିଖରେ ନୂଆ ନରେନ୍ଦ୍ର ମୋଦି ସରକାରର ପ୍ରଥମ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଶନିବାର ନିର୍ମଳା ଏବଂ ତାଙ୍କର ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅର୍ଥ ମନ୍ତ୍ରଣାଳୟର ଏହି ପାରମ୍ପରିକ ଉତ୍ସବରେ ଯୋଗ ଦେଇଥିଲେ।

ବଜେଟ୍‌ ଉପସ୍ଥାପନର ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହାର ପ୍ରିଣ୍ଟିଂ ଆରମ୍ଭ ହୁଏ। ଏହା ପୂର୍ବରୁ ଏକ ବୃହତ୍‌ କଡ଼େଇରେ ହାଲ୍‌ୱା ପ୍ରସ୍ତୁତ କରାଯାଇ ମନ୍ତ୍ରଣାଳୟର ପ୍ରାୟ ୧୦୦ ଜଣ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯାଇଥାଏ।

ସବୁଠାରୁ ବଡ଼ କଥା ହେଉଛି, ଏହି ହାଲ୍‌ୱା ବଣ୍ଟନ ପରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମନ୍ତ୍ରଣାଳୟରେ ହିଁ ରୁହନ୍ତି। ଏହି ସମୟରେ ସେମାନଙ୍କୁ ବାହାର ଲୋକଙ୍କୁ ଏପରିକି ପରିବାର ସହ ଯୋଗାଯୋଗ କରିବାକୁ ଦିଆଯାଏନାହିଁ। ଏପରିକି ସେମାନେ ମେଲ୍‌ ମଧ୍ୟ କରିପାରନ୍ତିନି। କେବଳ ଅଳ୍ପ କେତେଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଘରକୁ ଯିବାକୁ ଅନୁମତି ମିଳିଥାଏ।

ଆଜି ଏକ ବିବୃତି ଜରିଆରେ କୁହାଯାଇଛି, ବଜେଟ୍‌ର ଗୋପନୀୟତା ବଜାୟ ରଖିବା ପାଇଁ ଅଧିକାରୀଙ୍କ ପାଇଁ ଲକ୍‌ ଇନ୍‌ ପଦକ୍ଷେପ ଗ୍ରହଣ କରାଯାଇଛି। ଅର୍ଥାତ ମନ୍ତ୍ରଣାଳୟର ନର୍ଥ ବ୍ଲକ୍‌ରେ ଥିବା ବଜେଟ୍‌ ପ୍ରେସ୍‌ରେ ସେମାନଙ୍କୁ ଏହି ସମୟରେ ରହିବାକୁ ପଡ଼େ। ବଜେଟ୍‌ ପ୍ରିଣ୍ଟିଂ ସରିବା ପରେ ଯାଇ ସେମାନେ ନିକଟ ସମ୍ପର୍କୀୟ ଏବଂ ପରିବାର ସହିତ ଯୋଗାଯୋଗ କରିପାରନ୍ତି।