୧୪ ହଜାର କୋଟିର ବିକାଶର ବାସ୍କେଟ ନେଇ ୨୪ରେ ଓଡିଶା ଆସୁଛନ୍ତି ମୋଦି,୧୩ ପ୍ରକଳ୍ପର ହେବ ଶୁଭାରମ୍ଭ

ନୂଆଦିଲ୍ଲୀ : ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶା ଗସ୍ତ ସମୟରେ ୧୪ ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ । ଏଥିସହିତ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ଉଦ୍ବୋଧନ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗୁରୁବାର ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଫୋକସ୍ରେ ଓଡ଼ିଶା ରହିଛି । ସାଢ଼େ ୪ ବର୍ଷ ଶାସନରେ ବହୁ କେନ୍ଦ୍ରୀୟ ପ୍ରକଳ୍ପ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିଛି ।

ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ଅରଗୁଳସ୍ଥିତ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏଥିସହିତ ମୋଦି ସରକାରଙ୍କ ସମୟରେ ବ୍ରହ୍ମପୁରରେ ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ‘ଆଇଜର୍’ର ଶିଳାନ୍ୟାସ କରାଯିବ । ପେଟ୍ରୋଲିୟମ୍ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ-ହାଇଦ୍ରାବାଦ ମଧ୍ୟରେ ପାଇପ୍ଲାଇନ୍ କାମର ଶୁଭାରମ୍ଭ ହେବ । ୭୫.୩ କୋଟି ଖର୍ଚ୍ଚରେ ଭୁବନେଶ୍ୱରରେ ଥିବା ଇଏସ୍ଆଇ ହସ୍ପିଟାଲକୁ ୧୦୦ ଶଯ୍ୟାବିଶିଷ୍ଟ କରାଯିବା ସହ ପୁରୁଣା ଏନ୍ଏଚ୍-୫ ତଥା ବର୍ତ୍ତମାନ ଏନ୍ଏଚ୍-୧୬ର ୬ଟିକିଆ ରାସ୍ତା ଓ କଟକ-ଅନୁଗୁଳ ରାସ୍ତାର ୪ଟିକିଆ କାମ ଆରମ୍ଭ ହେବ । ଏହି ସମସ୍ତ କାମଗୁଡ଼ିକ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସ୍ରେ ଲୋକାର୍ପଣ ଓ ଶୁଭାରମ୍ଭ କରାଯିବ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ୨୪ ଓଡ଼ିଶାବାସୀଙ୍କ ପାଇଁ ଏକ ଐତିହାସିକ ଦିନ ହେବାକୁ ଯାଉଛି । ୨୦୧୭ ଜୁଲାଇ ୨୦ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ହାତରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର ୨୦୦ ଶହ ବର୍ଷ ପୂର୍ତ୍ତି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ôଚବ ।

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଇଁ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକ ଟିକେଟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଥିବା ପାଇକ ବିଦ୍ରୋହ ଗବେଷଣା ଚେୟାର୍ର ଶୁଭାରମ୍ଭ କରାଯିବ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୫ କୋଟି ଟଙ୍କାର କପର୍ସ ଫଣ୍ଡ ଯୋଗାଇ ଦିଆଯିବ । ଆଗାମୀ ପିଢ଼ି ପାଇଁ ୨୦୦ ବର୍ଷ ଇତିହାସର ଗବେଷଣା ନିମନ୍ତେ ନୂଆ ସୁଯୋଗ ସୃଷ୍ଟି କରିବ । ଲଳିତଗିରି ଭଳି ପ୍ରାଚୀନ କୀର୍ତ୍ତିରାଜକୁ ଅତ୍ୟାଧୁନିକ ପର୍ଯ୍ୟଟନ ସ୍ଥଳୀ ଭାବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କର ଏପରି କାମ ଓଡ଼ିଶାର ପର୍ଯ୍ୟଟନ, ମର୍ଯ୍ୟାଦା, ସ୍ୱାଭିମାନ ଓ ଅର୍ଥନୀତିରେ ନୂଆ ପରିଚୟ ସୃଷ୍ଟି ହେବ । ସେଥିପାଇଁ ଓଡ଼ିଶା ତରଫରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେ କୃତଜ୍ଞତା ପ୍ରକାଶ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଶିକ୍ଷା, ରାସ୍ତା, ପେଟ୍ରୋଲିୟମ, ଶ୍ରମ ଓ ସଂସ୍କୃତି ବିଭାଗର ବିଭିନ୍ନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଦେଶର ଅର୍ଥନୀତି, ସଂସ୍କୃତି, ରୋଜଗାର, ପର୍ଯ୍ୟଟନ, ରାଜସ୍ୱ ଓ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଉପସ୍ଥିତ ଥିଲେ ।