୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ମାସ ଶେଷରେ ରାହୁଲ ଗାନ୍ଧୀ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ । ଖୋର୍ଦ୍ଧାଠାରେ ହେବାକୁ ଥିବା ଏକ ବିଶାଳ ଜନସମାବେଶରେ ସେ ଯୋଗ ଦେବେ । ଏ ସମ୍ପର୍କରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ସ୍ପଷ୍ଟ କରିଛନ୍ତି । ନିଶ୍ଚିନ୍ତକୋଇଲିର ପଦଯାତ୍ରା ଅବସରରେ ଶ୍ରୀ ସିଂ ଏହି ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଜନସଭାରେ ଆସନ୍ତା ୨୦୧୯ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିବା ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ବୋଲି କୁହାଯାଉଛି । ଏଥିରେ ବିଜେପି ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗ ମଧ୍ୟ ଉଠାଇବାର ସମ୍ଭାବନା ରହିଛି ।
ମାସ ଶେଷରେ ରାହୁଲ ଗାନ୍ଧୀ

ସେହିପରି ଚଳିତମାସ ଶେଷ ଆଡ଼କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ୨୨ ଓ ୨୩ କିମ୍ବା ୨୭ ଓ ୨୮ରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏଆଇସିସି ପକ୍ଷରୁ ତାରିଖ ଚୂଡ଼ାନ୍ତ ହୋଇନାହିଁ । ଖୁବ୍ ଶୀଘ୍ର ତାହା ଚୂଡ଼ାନ୍ତ ହୋଇଯିବ । କଂଗ୍ରେସ ଅଧ୍ୟକ୍ଷଙ୍କୁ ଅତି କମ୍ରେ ୨ ଦିନ ଓଡ଼ିଶା ଗସ୍ତ କରିବାକୁ ଅନୁରୋଧ କରାଯାଇଛି । ଦକ୍ଷିଣ ଓଡ଼ିଶା, ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।