ଆଜି ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁଣି ଥରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ୟୁଏନ ସାଧାରଣ ସଭାର ୭୪ତମ ସଂସ୍କରଣ ଅବସରରେ ମୋଦୀ ଓ ଟ୍ରମ୍ପଙ୍କ ସାକ୍ଷାତକାର ସମୟରେ କିଛି ଦ୍ୱିପାକ୍ଷୀକ ଆଲୋଚନା ହେବ । ନ୍ୟୁୟର୍କରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ମୋଦୀ ସ୍ଥାନୀୟ ସମୟ ଅପରାହ୍ଣ ୧୨ଟା ୧୫ରେ ଟ୍ରମ୍ପଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚାନା କରିବାର କାର୍ଯ୍ୟକ୍ରମ ରହିଛି । ଏକ ସାମ୍ବାଦିକ ସମ୍ମିଳନୀରେ ବିଦେଶ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଏହି ସୂଚନା ଦେଇଛନ୍ତି । 

ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହାଓଡ଼ି ମୋଦୀ କାର୍ଯ୍ୟକ୍ରମର ଦିନକ ପରେ ଏହି ଦ୍ୱିପାକ୍ଷୀକ ବୈଠକ ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ହ୍ୟୁଷ୍ଟନରେ ମୋଦୀ ୫୦ ହଜାର ଭାରତ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିଥିଲେ ।

ସେହିଭଳି ନ୍ୟୁୟର୍କସ୍ଥିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ବିଶ୍ୱର ୨ଟି ବୃହତ୍ତ ଗଣତନ୍ତ୍ର ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦୀ ଓ ଶକ୍ତି ଏବଂ ବାଣିଜ୍ୟ କାରବାର ସଂପର୍କୀତ ପ୍ରସଙ୍ଗ ଉଠାଇଛନ୍ତି । ଏନଆରଜି ଷ୍ଟିଡିୟମରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ବିରଳ ବନ୍ଧୁତାର ନିଦର୍ଶନ ଦେଖିବାକୁ ମିଳିଥିଲା, ଯାହାକି ପୂର୍ବରୁ କେବେ ଦେଖାଯାଇ ନ ଥିଲା ।