ଆଜି ‘କିଷାନ ମନ ଧନ ଯୋଜନା’ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନିକିଆ ଝାଡ଼ଖଣ୍ଡ ଗସ୍ତ କରୁଛନ୍ତି । ଏହି ଗସ୍ତ କାଳରେ ମୋଦୀ ରାଜ୍ୟର ରାଜଧାନୀ ରାଞ୍ଚିରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘କିଷାନ ମନ ଧନ ଯୋଜନା’ ଶୁଭାରମ୍ଭ କରିବେ । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନବନିର୍ମିତ ଝାଡ଼ଖଣ୍ଡ ବିଧାନସଭା କୋଠାକୁ ଉଦଘାଟନ କରିବେ । ଏହା ପରେ ମୋଦୀ ଝାଡ଼ଖଣ୍ଡର ସଚିବାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ ହେଉଥିବା ‘କିଷାନ ମନ ଧନ’ ଯୋଜନାରୁ ୫ କୋଟି ଚାଷୀ ଉପକୃତ ହେବେ । ଯୋଜନା ଅନ୍ତର୍ଗତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ଲେଖାଏଁ ପେନସନ ପାଇବେ । କେନ୍ଦ୍ର ସରକାର ଏହି ଯୋଜନା ପାଇଁ ୧୦ ହଜାର ୭୭୪ କୋଟି ଟଙ୍କା ଖର୍ଚ୍ଚ କରୁଛି । ଏହି ରାଶି ଆଗାମୀ ୩ ବର୍ଷ ମଧ୍ୟରେ ବିନିଯୋଗ ହେବ । ବର୍ତ୍ତମାନ ଯେଉଁମାନଙ୍କର ବୟସ ୧୮ରୁ ୪୦ ବର୍ଷ, ସେହି କ୍ଷୁଦ୍ର ଓ ନାମାମାତ୍ର ଚାଷୀମାନେ ‘ପ୍ରଧାନମନ୍ତ୍ରୀ ମନ ଧନ’ ଯୋଜନାରୁ ଉପକୃତ ହୋଇପାରିବେ ।