ଆଜିଠାରୁ ୩ ଦିନିଆ ମୋଦୀଙ୍କ ଥାଇଲାଣ୍ଡ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଠାରୁ ତିନି ଦିନିଆ ଥାଇଲାଣ୍ଡ ଗସ୍ତରେ ଯାଉଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଥାଇଲାଣ୍ଡରେ ଏସିଆନ, ଇଷ୍ଟ ଏସିଆ ଓ ଆରସିଇପି ସମ୍ମିଳନୀରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦୀ ଗସ୍ତର ପ୍ରଥମ ଦିନରେ ଥାଇଲାଣ୍ଡରେ ବସବାସ କରୁଥିବା ଭାରତୀୟ ସଂପ୍ରଦାୟଙ୍କୁ ଉଦବୋଧନ ଦେବେ । ଏହି ଅବସରରେ ସେ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ଏକ ମୁଦ୍ରା ଜାରି କରିବେ । 

ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୩ ତାରିଖରେ ୧୬ତମ ଏସିଆନ-ଭାରତ ସମ୍ମିଳନୀରେ ତାଙ୍କର ଥାଇଲାଣ୍ଡ ସମକକ୍ଷ ପ୍ରୟୁତ ଚାନ-ଓ-ଛାଙ୍କ ସହିତ ଉପାଧ୍ୟକ୍ଷତା କରିବେ । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ଏସିଆନ-ଭାରତ ସମ୍ମିଳନୀରେ ମୋଦୀ ୭ମ ଥର ପାଇଁ ଭାଗ ନେଉଥିବା ବେଳେ ଇଷ୍ଟ ଏସିଆ ସମ୍ମିଳନୀରେ ୬ଷ୍ଠ ଥର ପାଇଁ ଯୋଗ ଦେଉଛନ୍ତି । ମୋଦୀଙ୍କ ଗସ୍ତ ପୂର୍ବରୁ ବିଦେଶ ବ୍ୟାପାର ମନ୍ତ୍ରାଳୟର ସଚିବ ବିଜୟ ଠାକୁର ସିଂହ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । 

ଗସ୍ତର ଦ୍ୱିତୀୟ ଦିନରେ ମୋଦୀ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନରେ ଯୋଗଦେବେ । ଏହି ମଧ୍ୟାହ୍ନ ଭୋଜନରେ ପୂର୍ବ ଏସିଆ ଦେଶଗୁଡ଼ିକରୁ ସମ୍ମିଳନୀରେ ଯୋଗଦେଇଥିବା ନେତାମାନେ ମଧ୍ୟ ଯୋଗଦେବେ । ଗ୍ଲୋବାଲ ସସଷ୍ଟାଇନେବୁଲ ବିକାଶ ଏଜେଣ୍ଡା ନେଇ ନେତାମାନେ ନିଜର ଭାବ ଆଦାନ ପ୍ରଦାନ କରିବେ । ଗସ୍ତର ଅନ୍ତିମ ଦିନରେ ମୋଦୀ ୧୪ତମ ଇଷ୍ଟ ଏସିଆ ସମ୍ମିଳନୀରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହେବ ।