ଦୁଇ ଦିନିଆ ବ୍ରାଜିଲ ଗସ୍ତରେ ପିଏମ ମୋଦୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀପିଏମ ମୋଦୀ ୧୧ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଦୁଇ ଦିନିଆ ବ୍ରାଜିଲ ଗସ୍ତ କରିବେ । ଏହି ସମ୍ମିଳନୀର ଚଳିତ ଥରର ବିଷୟ ରହିଛି, “ ଉନ୍ନତ ଭବିଷ୍ୟ ପାଇଁ ଆର୍ଥିକ ବୃଦ୍ଧି” । ପ୍ରଧାନମନ୍ତ୍ରୀ କାର‌୍ୟ୍ୟାଳୟରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ପିଏମ ମୋଦୀ ଷଷ୍ଠ ଥର ପାଇଁ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବାକୁ ଯାତ୍ରା କରୁଛନ୍ତି । ପ୍ରଥମ ଥର ସେ ୨୦୧୪ ମସିହାରେ ବ୍ରାଜିଲର ଫୋର୍ଟାଲେଜାରେ ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ । 

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟହ୍ମ ସମୟରେ ବ୍ରାଜିଲର ରାଜଧାନୀ ବ୍ରାସିଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।  ଗସ୍ତରେ ଭାରତର ଏକ ଉଦ୍ୟୋଗପତିଙ୍କ ବଡ ପ୍ରତିନିଧି ମଣ୍ଡଳ ମଧ୍ୟ ଉପସ୍ଥିତ ରହିପାରେ ।  ଏହି ପ୍ରତିନିଧି ମଣ୍ଡଳ ବ୍ରିକ୍ସ ବିଜନେସ ଫୋରମରେ ସ୍ୱତନ୍ତ୍ର ଭାବେ ସାମିଲ ହେବ ଯେଉଁଥିରେ ସମସ୍ତ ବ୍ରିକ୍ସ ସଦସ୍ୟ ଦେଶର ବ୍ୟବସାୟୀକ ସମୁଦାୟର ପ୍ରତିନିଧି ମଣ୍ଡଳ ଉପସ୍ଥିତ ରହିବେ ।  

ମୋଦୀ, ପୁଟିନ ଏବଂ ସି ଜିନପିଙ୍ଗଙ୍କ ଅଲଗା-ଅଲଗା ଦ୍ୱିପାକ୍ଷୀକ ଆଲୋଚନା କରିବେ

ପ୍ରଧାନମନ୍ତ୍ରୀ ଋଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଅଲଗା ଅଲଗା ଦ୍ୱିପାକ୍ଷୀକ ଆଲୋଚନା କରିବେ । ପିଏମ ମୋଦୀ ବ୍ରିକ୍ସ ବିଜନେସ ଫୋରମର ମୁଖ୍ୟ ଅଧିବେଶନ ଏବଂ ଉଦ୍‌ଯାପନ ସମାରୋହରେ ଅଂଶ ଗ୍ରହଣ କରିବେ । 

ଏହାପରେ ବ୍ରିକ୍ସର ପୂର୍ଣ୍ଣ ଅଧିବେଶନର କାର୍ଯ୍ୟକ୍ରମ ହେବ । ଏଥିରେ ବ୍ରିକ୍ସର ସମସ୍ତ ନେତାଙ୍କ ଦ୍ୱାରା ପରସ୍ପର ମଧ୍ୟରେ ଆର୍ଥିକ ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ବିଜେନେସ କାଉଁସିଲର ବ୍ରିକ୍ସ ନେତାଙ୍କ ସହ ବୈଠକର ଅଂଶ ହେବେ । ଏଥିରେ ବ୍ୟବସାୟ ଏବଂ ନିବେଶର ପ୍ରସାର କରୁଥିବା ସଂସ୍ଥାଙ୍କ ମଧ୍ୟରେ ବ୍ରିକ୍ସ ଏମଓୟୁ ଉପରେ ହସ୍ତାକ୍ଷର ହେବ ।