ପାକିସ୍ତାନକୁ ମୋଦୀ ଦେଲେ ଝଟକା, ମଧ୍ୟସ୍ଥତା ଉପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ

ବ୍ୟାରିଜ: କାଶ୍ମୀର ପ୍ରସଙ୍ଗରେ ଆମେରିକାଠୁ ମଧ୍ୟସ୍ଥତାର ଆଶା ବାନ୍ଧି ବସିଥିବା ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶକ୍ତ ଝଟକା ଦେଇଛନ୍ତି। ସୋମବାର ଫ୍ରାନ୍ସରେ ଜି-୭ ଶିଖର ସମ୍ମିଳନୀ ପୂର୍ବରୁ ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ସେ ମିଡିଆ ସାମ୍ନାରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ସବୁ ପ୍ରସଙ୍ଗ ଦ୍ଵିପାକ୍ଷିକ ଏବଂ ଏଥିରେ ଆମେ କୌଣସି ଅନ୍ୟ ଦେଶକୁ ଦଖଲ ଦେବାର କଷ୍ଟ ଚାହୁଁନାହୁଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ବିଶ୍ଵାସ କରୁଛି ଯେ ଭାରତ ଓ ପାକିସ୍ତାନ ଏକାଠି ମିଶି ନିଜ ସମସ୍ୟା ଉପରେ ଆଲୋଚନା କରି ସମାଧାନ କରି ପାରିବେ। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଦ୍ଵାରା କାଶ୍ମୀର ପ୍ରସଙ୍ଗ ଉଠିବା ପରେ ଟ୍ରମ୍ପ ଅନେକ ଥର ଏହି ବିଷୟରେ ମଧ୍ୟସ୍ଥତା କରିବା କଥା କହି ସାରିଛନ୍ତି। ମାତ୍ର ସୋମବାର ଯେବେ ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀର ଏକ ଦ୍ଵିପାକ୍ଷିକ ପ୍ରସଙ୍ଗ ସଫା ସଫା କହିବାରୁ ଟ୍ରମ୍ପ ୟୁଟର୍ଣ୍ଣ ନେଇଛନ୍ତି।     

ଟ୍ରମ୍ପ ମଧ୍ୟ ମୋଦୀଙ୍କ କଥାକୁ ସମର୍ଥନ ଦେଇ କହିଛନ୍ତି ଯେ, ମୋଦୀଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି। ଏହା ପୂର୍ବରୁ ମୋଦୀ କହିଛନ୍ତି ଭାରତ ଓ ଆମେରିକା ଉଭୟ ଗଣତାନ୍ତ୍ରିକ ମୂଲ୍ୟକୁ ନେଇ ଚାଲୁଥିବା ଦେଶ। କେଉଁ ଭଳି ଏକାଠି ହୋଇ ଆଗକୁ ଯିବୁ ଓ କଣ ଯୋଗଦାନ ଦେଇ ପାରିବୁ ଏମିତି ଅନେକ ବିଷୟ ଉପରେ ଦୁଇ ଦେଶ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥାଏ।

ମିଡିଆ ପକ୍ଷରୁ ଯେବେ କାଶ୍ମୀର ଉପରେ ପଚରାଗଲା ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ଦ୍ଵିପାକ୍ଷିକ ପ୍ରସଙ୍ଗ ରହିଛି। ପାକିସ୍ତାନରେ ନିର୍ବାଚନ ପରେ ପ୍ରଧାମନ୍ତ୍ରୀଙ୍କୁ ମୁଁ ଫୋନ କରି କହିଥିଲି ଯେ ପାକିସ୍ତାନକୁ ରୋଗ, ଗରିବି, ଅଶିକ୍ଷା ବିରୋଧରେ ଲଢେଇ କରିବାର ଅଛି। ଦୁଇ ଦେଶ ଏକାଠି ହୋଇ ଏହା ବିରୋଧରେ ଲଢିବାର ଅଛି। ଦୁଇ ଦେଶର ଜନତାଙ୍କ ଉନ୍ନିତ ପାଇଁ କାମ କରନ୍ତୁ। ସେ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ମଧ୍ୟ ଏହି ସମ୍ବନ୍ଧରେ ଆଲୋଚନା ହୋଇଥାଏ।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଛୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ଥିତି ନିୟନ୍ତ୍ରଣରେ ରହିଛି। ମୁଁ ଆଶା କରୁଛି ଯେ ମୋଦୀ କାଶ୍ମୀରରେ ଭଲ କାମ କରିବାରେ ସଫଳ ହେବେ। ଟ୍ରମ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ମୁଁ ଗତ ରାତିରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲୁ। ମୁଁ ଆଶା  କରୁଛି ଯେ ଭାରତ ଓ ପାକିସ୍ତାନ ଉଭୟ ଏକାଠି ମିଶି ଏହି ସମସ୍ୟାର ସମାଧାନ କରିବେ। ପୂର୍ବରୁ ସମଗ୍ର ଦୁନିଆରେ ହତାଶ ହୋଇଥିବା ପାକିସ୍ତାନ ଏବେ ଟ୍ରମ୍ପଙ୍କ ୟୁଟର୍ଣ୍ଣ ପରେ ଆହୁରି ବିଳିବିଳେଇ ପାରେ।