ରାମଲୀଳା ମୈଦାନରେ ରାବଣ ଦହନ କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦିଲ୍ଲୀର ଦ୍ୱାରକା ସେକ୍ଟର ୧୦ ସ୍ଥିତ ରାମଲୀଳା ମୈଦାନରେ ଆୟୋଜିତ ଦଶହରା କାର‌୍ୟ୍ୟକ୍ରମରେ ଯୋଗଦେଇ ରାବଣର କୁଶପୁତଳିକର ଦହନ କରିଛନ୍ତି । ଅନ୍ୟାୟ ଉପରେ ନ୍ୟାୟର ବିଜୟର ଏହି ପର୍ବରେ ସେ ଦେଶର ଜନତାଙ୍କୁ ଅପିଲ କରି କହିଛନ୍ତି ଯେ, ନିଜ ଭିତରେ ଥିବା ରାବଣକୁ ଶେଷ କରିବେ, ଏହାପରେ ହିଁ ଉତ୍ସବ ପାଳନକୁ ସାର୍ଥକ କରାଯାଇ ପାରିବ । ମହିଳାଙ୍କ ସମ୍ମାନ କରିବାକୁ ଅପିଲ କରିବା ସହ ପ୍ଲାଷ୍ଟିକ ବର୍ଜନରେ ସାମୁହିକ ଯୋଗଦାନ କରିବାକୁ ଆଦ୍ୱାନ କରିଛନ୍ତି ।

ଏହି ଅବସରରେ ପିଏମ ମୋଦୀ କହିଛନ୍ତି ଭାରତ ଉତ୍ସବର ଭୂମି, ୩୫୬ ଦିନ ମଧ୍ୟରୁ ଏପରି କୌଣସି ଦିନ ବାଦ ପଡୁଥିବ ଯେଉଁ ଦିନ ଭାରତର କୌଣସି କୋଣରେ ଉତ୍ସବ ପାଳନ କରାଯାଉ ନଥିବ । ହଜାର ହଜାର ବର୍ଷର ସାଂସ୍କୃତିକ ପରମ୍ପରା କାରଣରୁ ଆମ ଦେଶ ଉତ୍ସବକୁ ମଧ୍ୟ ସଂସ୍କାର ଶିକ୍ଷାର ଏବଂ ସାମୂହିକ ଜୀବନରେ ଏକ ଅବିରତ ପ୍ରଶିକ୍ଷଣ କରିବାର କାମ କରିଛି ।

ପିଏମ ମୋଦୀ କହିଛନ୍ତି ଉତ୍ସବ ଆମକୁ ଯୋଡୁଛି ଏବଂ ମୋଡୁଛି । ପିଏମ କହିଛନ୍ତି ଉତ୍ସବ ସମୟରେ ଆମର ଏଠାରେ ପ୍ରତିଭା ବାହାରକୁ ବାହିରି ଥାଏ, ପ୍ରତିଭାକୁ ସମ୍ମାନ କରି ପୁରସ୍କୃତ କରିବାର ଚେଷ୍ଟା କରାଯାଇଥାଏ । ଉତ୍ସବ ସହ ବିଭିନ୍ନ କଳା ଜଡିତ । ପିଏମ ମୋଦୀ କହିଛନ୍ତି, ମା’ଙ୍କ ଉପାସନା ଶକ୍ତି ସାଧାନା ପାଇଁ କରୁଥିବା ଦେଶ ପ୍ରତ୍ୟେକ ମାଆ ଏବଂ ଝିଅଙ୍କ ସମ୍ମାନ, ଗୌରବ ଏବଂ ଗରିମାର ରକ୍ଷା କରୁ, ଏହି ସଙ୍କଳ୍ପ ନେବା ଆମର ଦାୟିତ୍ୱ । ଏହାସହ ସେ କହିଛନ୍ତି ଦୀପାବଳିରେ ଆମେ ଲକ୍ଷ୍ମୀ ପୂଜା କରିବୁ, ଆମ ମନରେ ଏହି ସ୍ୱପ୍ନ ରହିଥାଏ । ଯେତେବେଳେ କି ଆମ ଘରେ, ସମାଜ, ଗାଁ ଏବଂ ସହରରେ ଝିଅ ରୁପରେ ଲକ୍ଷ୍ମୀ ରହିଥାନ୍ତି, ଏପରି ସ୍ଥିତିରେ ଯେଉଁ ଝିଅମାନେ ଯାହା ହାସଲ କରିଛନ୍ତି ଯାହା ଆମକୁ ପ୍ରେରଣ ଦେଇ ପାରୁଥିବ ତାକୁ ସାମୁହିକ କାର‌୍ୟ୍ୟକ୍ରମରେ ସମ୍ମାନିତ କରିବା, ତାହା ହିଁ ଆମର ଲକ୍ଷ୍ମୀ ପୂଜା ହେବା ଦରକାର ।

ପିଏମ ମୋଦୀ ଏହି ମଞ୍ଚରୁ ଦେଶର ଜନତାଙ୍କୁ ଦେଶର ସମ୍ପତ୍ତିକୁ ବଞ୍ଚାଇବାର ସଙ୍କଳ୍ପ ନେବାକୁ ଆହ୍ୱାନ କରିଛନ୍ତି । ଏହାସହ ସେ ରାମସେତୁ ନିର୍ମାଣର ଉଦାହରଣ ଦେଇ ସାମୁହିକ ଶକ୍ତିର ମହତ୍ୱ ଦର୍ଶାଇ କହିଛନ୍ତି ଆମେ ମଧ୍ୟ ଏହି ଶକ୍ତି ମାଧ୍ୟମରେ ନିଜର ସଙ୍କଳ୍ପକୁ ପୂରଣ କରିବା ।