ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରୀଙ୍କ ଏକକ ବାର୍ଷିକ ପରୀକ୍ଷା(ସମିଟିଭ-୨) ମାର୍ଚ୍ଚ ୧୧ ରୁ ଆରମ୍ଭ ହେବ । ଯାହା ୧୭ରେ ଶେଷ ହେବ । ବିଭିନ୍ନ ଶ୍ରେଣୀ ପାଇଁ ପ୍ରତିଦିନ ଅଲଗା ଅଲଗା ବିଷୟର ପରୀକ୍ଷା କରାଯିବ। ପରୀକ୍ଷାର ପ୍ରଥମ ଦିନ ମୁଖ୍ୟତଃ ପ୍ରଥମ ଓ ଦ୍ବିତୀୟ ଭାଷାର ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨ ଘଂଟା ପରୀକ୍ଷା କରିବାକୁ ନିଷ୍ପତି ହୋଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖୁବ୍ଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।
ଷାଣ୍ମାସିକ ପରୀକ୍ଷା ପରି ବାର୍ଷିକ ପରୀକ୍ଷାରେ ବି ଏକକ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ଜିଲ୍ଲାସ୍ତରକୁ ପଠାଯିବ। ସେଠାରୁ ବ୍ଲକ ଓ ବିଦ୍ୟାଳୟକୁ ପ୍ରଶ୍ନପତ୍ରଗୁଡ଼ିକ ଯିବ। ପରୀକ୍ଷା ସରିବା କ୍ଷଣି ଉତର ଖାତାଗୁଡ଼ିକର ମୂଲ୍ୟାୟନ କରାଯିବ। କେଉଁ ପରୀକ୍ଷାର୍ଥୀଙ୍କର କେଉଁ ବିଷୟରେ କେତେ ମାର୍କ ରହିଛି ସେନେଇ ଅଭିଭାବକଙ୍କୁ ଏଥର ବି ରିପୋର୍ଟ ଦିଆଯିବ। ଯେହେତୁ ଏପ୍ରିଲ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଛି ତା’ପୂର୍ବରୁ ଅଭିଭାବକଙ୍କୁ ପିଲାମାନଙ୍କ ମାର୍କ ସମ୍ପର୍କରେ ଅବଗତ କରାଯିବ। ଏଥିପାଇଁ ମାର୍ଚ୍ଚ ଶେଷ ସୁଦ୍ଧା ଶିକ୍ଷକ-ଅଭିଭାବକ ବୈଠକ ଡକାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଯେଉଁ ପିଲାମାନେ ବାର୍ଷିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ଥିବେ ସେମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ।
ଏଥର ବି ୫୨ ହଜାରରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୪୫ ଲକ୍ଷ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦେବେ। ଏଥିପାଇଁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶ୍ନପତ୍ର ଓ ଉତ୍ତର ଖାତା ଛପାଇବା ପାଇଁ ଇତିମଧରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଷାଣ୍ମାସିକ ପରୀକ୍ଷାରେ ଯେଉଁଭଳି ଭାବେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା ଏଥର ଯେମିତି ସେଭଳି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ମାନେ ଏଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। ପରୀକ୍ଷା ପୂର୍ବରୁ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏସବୁ ବିଷୟରେ ଅବଗତ କରାଯିବ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।