କର୍ଣ୍ଣାଟକରେ ଲାଗୁ ହେବ ରାଷ୍ଟ୍ରପତି ଶାସନ!

ନୂଆଦିଲ୍ଲୀ: ମଙ୍ଗଳବାର କର୍ଣ୍ଣାଟକରେ କ୍ଷମତାସୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ଭୁଶୁଡ଼ାଇବାକୁ ସକ୍ଷମ ହୋଇଥିବା ବିଜେପି ଏବେ ରାଜ୍ୟ ସରକାର ଗଠନ କରିବା ମୁଡ୍‌ରେ ନାହିଁ। ବାଚସ୍ପତି କେଏମ ରମେଶ ମେଣ୍ଟ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୧୬ ଜଣ ବିଧାୟକଙ୍କ ଇସ୍ତଫାପତ୍ର ଉପରେ କୌଣସି ନିଷ୍ପତ୍ତି ନେଇ ନଥିବାରୁ, ବିଜେପି ଏକ ସଂଖ୍ୟାଲଘୁ ସରକାର ଗଠନ କରିବାକୁ ଚାହୁଁ ନଥିବା ଜଣାପାଡ଼ିଛି।

ବିଦ୍ରୋହୀ ବିଧାୟକ ଇସ୍ତଫାପତ୍ର ଉପରେ ବାଚସ୍ପତି ନିଷ୍ପତ୍ତି ନ ନେବା ଯାଏ, ବିଜେପି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ ନାହିଁ ବୋଲି ଦଳର ମୁଖପାତ୍ର ଜି ମଧୁସୂଦନ କହିଛନ୍ତି।

ମଧୁସୂଦନ କହିଛନ୍ତି,“ବାଚସ୍ପତି ଏଯାଏ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଯଦି ସେ ସମୟ ଏମିତି ଗଡ଼ାଇ ଚାଲନ୍ତି, ତା’ହେଲେ ରାଜ୍ୟପାଳ ବାଜୁଭାଇ ବାଲା ସମ୍ଭବତଃ ରାଷ୍ଟ୍ରପତି ଶାସନ ଜାରି କରିପାରନ୍ତି। କାରଣ ଆମେ କେବେ ହେଲେ ଏପରି ସ୍ଥିତିରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବୁ ନାହିଁ। ବାଚସ୍ପତି ଇସ୍ତଫାପତ୍ର ଗ୍ରହଣ କରି ନଥିବାରୁ, ଏବେ ବି କର୍ଣ୍ଣାଟକ ବିଧାନସଭାର ଆସନ ସଂଖ୍ୟା ୨୨୫ ରହିଛି। ଅର୍ଥାତ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩।

ବିଜେପିର ୧୦୫ ବିଧାୟକ ଥିବା ବେଳେ ଦଳକୁ ଦୁଇ ସ୍ୱାଧୀନ ବିଧାୟକ ସମର୍ଥନ କରୁଛନ୍ତି। ଅର୍ଥାତ ଦଳ ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି। କିନ୍ତୁ ଏହା ମ୍ୟାଜିକ ନମ୍ବର ଠାରୁ ୬ କମ୍‌। ଏପରି ସ୍ଥିତିରେ ଆମେ ସରକାର ଗଠନ ପରେ ରାଜ୍ୟପାଳ ଆମକୁ ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଲେ, ଆମେ ସେଥିରେ ବିଫଳ ହେବୁ। ତେଣୁ ଆମେ ସରକାର ଗଠନ ପାଇଁ କେବେ ହେଲେ ଦାବି ଜଣାଇବୁ ନାହିଁ।”

ଜୁଲାଇ ୬ରୁ କଂଗ୍ରେସର ୧୩ ଓ ଜେଡିଏସ୍‌ର ୩ ଜଣ ବିଧାୟକ ଇସ୍ତଫା ଦେଇଥିଲେ ହେଁ ବାଚସ୍ପତି ଏଯାଏ ଏହାକୁ ଗ୍ରହଣ କରିନାହାନ୍ତି।

ଅନ୍ୟପକ୍ଷରେ ଜେଡିଏସ୍‌ର ମାର୍ଗଦର୍ଶକ ଏଚ୍‌ଡି ଦେବେଗୌଡ଼ା ଆଜି କହିଛନ୍ତି,“ବିଜେପି ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନାହିଁ। ଅବଶ୍ୟ ଦଳ ଏକକ ସର୍ବବୃହତ ଦଳ ହୋଇଛି। କିନ୍ତୁ ୨ ଜଣ ବିଧାୟକ ଏପଟ ସେପଟ ହୋଇଗଲେ, ବିଜେପିର ସବୁ ଗଣିତ ମଧ୍ୟ ବିଗିଡ଼ି ଯିବ।”

ବାଚସ୍ପତି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବା ପରେ ସେମାନେ ବିଜେପିରେ ସାମିଲ ହୋଇପାରିବେ ଏବଂ ଏହାପରେ ଉପ ନିର୍ବାଚନ ଦ୍ୱାରା ବିଧାନସଭାକୁ ଆସିପାରିବେ।