ଇ.ଏସ.ଆଇ.ସି କ୍ଷେତ୍ରର ନିର୍ଦ୍ଦେଶକଙ୍କ ମାନମାନିକୁ ବିରୋଧ
ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର: କର୍ମଚାରୀ ରାଜ୍ୟ ବୀମା ଯୋଜନା(ଇ.ଏସ.ଆଇ.ସି)ର କ୍ଷେତ୍ରୀୟ ନିର୍ଦ୍ଦେଶକଙ୍କ ମନମାନି ଯୋଗୁଁ ସାରା ଓଡ଼ିଶାରେ ପ୍ରାୟ ହିତାଧିକାରୀଙ୍କ ଜୀବନ ଏବେ ଘୋର ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି । ତେଣୁ ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇ.ଏନ୍.ଟି.ୟୁ.ସି) ତରଫରୁ ବିରୋଧ କରାଯାଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ଏଥିରେ କୁହାଯାଇଛି ଯେ, ସାରା ରାଜ୍ୟରେ ୬୮୧୯୮୦ଜଣ ବିମାଭୁକ୍ତ କର୍ମଚାରୀ ହିତାଧିକାରୀ ଥିବାବେଳେ ପ୍ରାୟ ୨୭୨୭୯୨୦ ଜଣ ହିତାଧିକାରୀ ଅଛନ୍ତି । ସେମାନଙ୍କ ଦେୟ ବାବଦରେ କେନ୍ଦ୍ର ସରକାରଙ୍କୁ ଅପ୍ରେଲ ୧ ରୁ ଜାନୁୟାରୀ ୨୦୨୦ ସୁନ୍ଧା ପ୍ରାୟ ୨୭୨ କୋଟି ଟଙ୍କା ପ୍ରଦାନ କରନ୍ତି ଏବଂ ଏ ବାବଦରେ ପ୍ରାୟ ଖର୍ଚ୍ଚ ୪୬କୋଟି ଚଳିତବର୍ଷ ଖର୍ଚ୍ଚ ଯାହାକି ଆଦାୟ ଅର୍ଥର ମାତ୍ର ୧୬ ପ୍ରତିଶତ କଲାପରେ ପ୍ରାୟ ୨୨୬କୋଟି ଟଙ୍କା କେନ୍ଦ୍ର ସରକାର ତାଙ୍କ ରାଜକୋଷକୁ ନେଇଥାନ୍ତି । ଅତୀତରେ ଇ.ଏସ.ଆଇ.ସି ତରଫରୁ ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ ଠାରେ ଏକ ମେଡିକାଲ କଲେଜ ନିର୍ମାଣ କରିବା ପାଇଁ ଇ.ଏସ.ଆଇ.ସି କର୍ତୃପକ୍ଷ ଘୋଷଣା କରିଥିରେ ପରବର୍ତୀ ସମୟରେ ଜମି ଅଧିଗ୍ରହଣ ସହ ଏହାର ପାଚେରୀ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଶେଷରେ ସେ ମେଡିକାଲ କଲେଜ ଓଡ଼ିଶାବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଗଲା । ବିଗତ ୨ବର୍ଷ ତଳେ ଉକ୍ତ ଜାଗାରେ ଏକ ୧୫୦ଶଯ୍ୟା ବିଶିଷ୍ଟ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ବୀମା କର୍ମଚାରୀଙ୍କ ଦେୟ ବାବଦରେ କେନ୍ଦ୍ର ସରକାର ବର୍ଷକୁ ଶହ ଶହ କୋଟି ଟଙ୍କା ପାଉଥିଲାବେଳେ ଓଡ଼ିଶାରେ କୌଣସି ଆବଶ୍ୟକୀୟ ଚିକିତ୍ସା ଉପଯୋଗୀ ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି ।
ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଗସ୍ତ ସମୟରେ ୨୩ ଡିସେମ୍ବର, ୨୦୧୮ରେ ଚନ୍ଦ୍ରଶେଖରପୁରସ୍ଥ ଇ.ଏସ.ଆଇ.ସି ହସ୍ପିଟାଲର ଆଧୁନିକରଣ କାର୍ଯ୍ୟକୁ ଉଦଘାଟନ କରିବା ସହ ଏହା ଏକଶତ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ବୋଲି ଘୋଷଣା କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏକଶତ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ନିମିତ ଆବଶ୍ୟକୀୟ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ସରଞ୍ଜାମର ବ୍ୟବସ୍ଥା ହୋଇନାହିଁ । ହସ୍ପିଯାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗକୁ କେନ୍ଦ୍ର ସରକାର ତଥା ଏକଶତ ଶଯ୍ୟାବିଶିଷ୍ଟ ଡାକ୍ତରଖାନା କର୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଅନ୍ୟପଟେ ଜେନେରେଟର ଓ ଲିପ୍ଟ ଅକାମି ପଡିରହିଥିବାରୁ ହିତାଧିକାରୀମାନେ ଏଥିରୁ ବଂଚିତ ହେଉଛନ୍ତି । ସାରା ରାଜ୍ୟରେ ୪୧ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ୪ଟି ଡାକ୍ତରଖାନା ଥାଇ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟସେବା ପ୍ରତି ବେପରୁଆ ମନୋଭାବ ଯୋଗୁଁ ଏଗୁଡିକ ଅବସ୍ଥା ବିପର୍ଯ୍ୟାପ୍ତରେ ପହଂଚିଛି ।
ସେହିପରି ଅନୁଗୁଳଠାରେ ନୂତନ ହସ୍ପିଟାଲ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ କଳିଙ୍ଗନଗରଠାରେ ପ୍ରସ୍ତାବିତ ହସ୍ପିଟାଲ କାର୍ଯ୍ୟମଧ୍ୟ ଅଧାରେ ପଡିଛି । ଓଡ଼ିଶାରେ ଆବଶ୍ୟକୀୟ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ, ଯଦ୍ୱାରା ହିତାଧିକାରୀମାନେ ଅନେକ ସମୟରେ ଭୁବନେଶ୍ୱର ଆସିବାକୁ ବାଧ୍ୟ ହେଉଛନ୍ତି । ଚୌଦ୍ୱାରରେ ଥିବା ଇ.ଏସ୍.ଆଇ.ସି ହସ୍ପିଟାଲ ଅବସ୍ଥା ଜରାଜୀର୍ଣ୍ଣ ଅବସ୍ଥା ସମ୍ପର୍କରେ ବାରମ୍ବାର ରେଜୁନାଲ ବୋର୍ଡ ମିଟିଂରେ ଉତଥାନ ହେଲେ ବି କର୍ପୋରେସନ୍ କୌଣସି ପଦକ୍ଷେପ ନେଉନାହାନ୍ତି ।
ଇ.ଏସ୍.ଆଇ,ସି ଆଇନ୍ ୧୯୪୮ ଧାରା ୯୬ ଅନୁସାରେ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ସମଗ୍ର ରାଜ୍ୟରେ ଆବଶ୍ୟକୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନା ନିର୍ମାଣ ତଥା ପରିଚାଳନାର ଆଇନଗତ ଦାୟିତ୍ୱ ପ୍ରଦାନ କରାଯାଇଥିଲେ ବି ଓଡ଼ିଶାରେ ଥିବା ଇ.ଏସ୍.ଆଇ,ସି ର ଆଂଚଳିକ ନିର୍ଦ୍ଦେଶକ ତାକୁ ଅବମାନନା କରି ପ୍ରତ୍ୟେକ ଜିଲ୍ଲାରେ ଭଡା ସୂତ୍ରରେ ଗୋଟିଏ ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ର ଓ ଶାଖା କାର୍ଯ୍ୟାଳୟ ଖୋଲିବା ପାଇଁ ପ୍ରୟାସ କରୁଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ସାଧାରଣ ସମ୍ପାଦକ କିଶୋର ଜେନା, ଉପସଭାପତି ମଦନମୋହନ ଧଳ, ମହିଳା ଶାଖାର ସଭାନେତ୍ରୀ ପ୍ରଣତି ମିଶ୍ର, ଯୁବଶାଖାର ସଭାପତି ସତ୍ୟବ୍ରତ ନାୟକ, ଅକ୍ଷୟ ତ୍ରିପାଠୀ ଓ ରାଜ୍ୟ ବୀମାଭୁକ୍ତ କର୍ମଚାରୀ ଆସୋସିଏସନ୍ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।