ଏଯାବତ୍ ଓଡ଼ିଶାରେ ପଜେଟିଭ୍ କେସ୍ ଆସିନି: ସୁବ୍ରତ ବାଗଚୀ

ଭୁବନେଶ୍ୱର: କୋରୋନା ଭାଇରସ୍ ର ସଂକ୍ରମଣକୁ ରୋକିବା ପାଇଁ ୬ମାସ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବା ଉଚିତ୍ । ଏଯାବତ୍ ଓଡ଼ିଶାରେ କୋରୋନା ଭାଇରସ୍ ର କୌଣସି ପଜେଟିଭ୍ କେସ୍ ଆସିନି ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଏପର୍ଯ୍ୟନ୍ତ ପଜିଟିଭ କେସ ଆସିନି। ଓଡ଼ିଶାରେ ସମସ୍ତ ୨୨ ନମୁନା ପରୀକ୍ଷା ନେଗେଟିଭ୍‌ ଆସିଛି। ସେ କହିଛନ୍ତି, ଆଜି ଅପରାହ୍ନ ୧ଟା ୧୫ ସୁଦ୍ଧା ୧୧୫ଟି ଦେଶକୁ କରୋନା ବ୍ୟାପିଛି। ଚୀନ, ଇଟାଲୀ, ଇରାନ, ଦକ୍ଷିଣ କୋରିଆ ଓ ସ୍ପେନରେ ଏହାର ପ୍ରଭାବ ଅଧିକ।

ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି, ବର୍ତମାନର ପରିସ୍ଥିତିକୁ ଦେଖି ଜନସଂପର୍କ ବଜାୟ ରଖିବାକୁ ପଡ଼ିବ। ପ୍ରତ୍ୟେକ ଦିନ ସାଢ଼େ ୪ଟାରେ ସୂଚନା ଯୋଗାଇ ଦିଆଯିବ।ଚାଂଚଲ୍ୟ, ରହସ୍ୟ ଓ ଗୁଜବ ଠାରୁ ଦୂରରେ ରହିବାକୁ ପଡ଼ିବ। ସେ କହିଛନ୍ତି ଯେ, କୋଭିଡ-୧୯ ଭୂତାଣୁର ପ୍ରତିକାର ଏପର୍ଯ୍ୟନ୍ତ ମିଳିନି। ଏହି ଭୂତାଣୁ ସ୍ପର୍ଶ, କାଶ ଓ ଛିଙ୍କରୁ ବ୍ୟାପିଥାଏ। ଏପରି ସ୍ଥିତିରେ ଶାନ୍ତ ଓ ସଚେତନ ରହିବାର ଆବଶ୍ୟକତା ଅଛି।

ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଶ୍ରୀ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ହାତକୁ ମୁହଁ ପାଖକୁ ଆଣନ୍ତୁନି। ତେଣୁ ଯୁଦ୍ଧକାଳୀନ ଭିତିରେ ୬ ମାସ ପାଇଁ ପ୍ରସ୍ତୁତ ରହିବାର ସମୟ ଆସିଛି। ସେ କହିଛନ୍ତି, ମନରେ ପ୍ରାର୍ଥନା କରନ୍ତୁ, ଦେବସ୍ଥାନରେ ଭିଡ ନଜମାଇଲେ ଭଲ।

ଜିଲ୍ଲାପ୍ରଶାସନ ଠାରୁ ପଂଚାୟତ ସ୍ତର ଯାଏଁ ସଜାଗ ରହିବାକୁ କୁହାଯାଇଛି। ଜିଲ୍ଲାପ୍ରଶାସନ, ପୁଲିସ, ବ୍ଲକ ଅଫିସକୁ ଦାୟିତ୍ୱ ଅବଗତ କରାଯାଇଛି। ଜାତି, ଧର୍ମ, ରାଜନୀତିରୁ ଉପରକୁ ଆସି କରୋନାର ମୁକାବିଲା କରିବା ବୋଲି ସେ ପରାମର୍ଶ ଦେଇଛନ୍ତି। ସେହିପରି ପ୍ରତିଦିନ ବିଶ୍ୱ, ଦେଶ ଓ ରାଜ୍ୟ ବିଷୟରେ ଆଲୋଚନା ହେବ ବୋଲି ସେ କହିଛନ୍ତି।