ରାଜଧାନୀରେ ସପ୍ତାହରେ ହେବ ୫ହଜାର ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି ।

ଏହି ଯୋଜନା ଅନୁସାରେ ଭୁବନେଶ୍ୱରରେ ଆଗାମୀ ଏକ ସପ୍ତାହ ଭିତରେ ୫୦୦୦ ନମୁନା ପରୀକ୍ଷା କରାଯିବ। ଏହାଫଳରେ ରାଜଧାନୀ ସହରରେ କରୋନା ସଂକ୍ରମଣର ଅସଲ ଚିତ୍ର ସାମ୍ନାକୁ ଆସିପାରିବ। କେବଳ ସେତିକି ନୁହେଁ, ଏହା ଦ୍ୱାରା ସଂକ୍ରମିତ ଚିହ୍ନଟ ଓ ଚିକିତ୍ସା ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇ ପାରିବ। ଭୁବନେଶ୍ୱର ଏକ ହଟସ୍ପଟ ହୋଇଥିବା ହେତୁ ଏଥିଲାଗି ଏହି ସବୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ଆଗାମୀ ୭ ଦିନ ଭିତରେ ୫ ହଜାର ନମୁନା ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ଏଥିଲାଗି ରାଜ୍ୟ ସରକାର ଭୁବନେଶ୍ୱରରେ ଟେଷ୍ଟିଂ କ୍ଷମତା ମଧ୍ୟ ବଢାଇଛନ୍ତି। ଭୁବନେଶ୍ୱରର ଏମସ୍, ଆରଏମଅଆରସି, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଓ ଆପୋଲୋ ହସ୍ପିଟାଲରେ ନମୁନା ପରୀକ୍ଷା ବ୍ୟବସ୍ଥା ରହିଛି। ଏହି ନମୁନା ପରୀକ୍ଷା ଅଭିଯାନ ଭାରତରେ ପ୍ରଥମ ବଡ଼ ଅଭିଯାନ ହେବ। ୧୦ ଲକ୍ଷ ବ୍ୟକ୍ତିଙ୍କ ମଧ୍ୟରୁ ୫୦୦୦ ନମୁନା ସଂକ୍ରହ ଓ ପରୀକ୍ଷା ଏଯାବତ୍ ସର୍ବାଧିକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଯେଉଁମାନଙ୍କ  ଅନ୍ୟ ରାଜ୍ୟ ଓ ବିଦେଶକୁ ଗସ୍ତ ଇତିହାସ ରହିଛି ସେମାନଙ୍କୁ ପ୍ରାଥମିକତା ଦିଆଯିବ। ଠିକ୍ ସେହିପରି ଯେଉଁମାନଙ୍କର କରୋନା ଲକ୍ଷଣ ଥିବା ଓ ଯେଉଁମାନେ ସଂକ୍ରମିତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବେ ସେମାନଙ୍କର ନମୁନା ପରୀକ୍ଷା କରାଯିବ। ଏହା ବାଦ୍ ଇନଫ୍ଲୁଏଞ୍ଜା ଲକ୍ଷଣଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ କର୍ମଚାରୀଙ୍କର  ମଧ୍ୟ ନମୁନା ପରୀକ୍ଷା କରାଯିବ। ମଧୁମେହ ଓ ରକ୍ତଚାପ ଭଳି ରୋଗରେ ପୀଡ଼ିତ ଥିବା ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ।

ଏଥିଲାଗି ଭୁବନେଶ୍ୱରରେ ଟେଷ୍ଟିଂ ପାଇଁ ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି । ଭ୍ରାମ୍ୟମାଣ ମୋବାଇଲ କ୍ୟାମ୍ପ ମଧ୍ୟ ଭୁବନେଶ୍ୱରରେ ଚାଲିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। କରୋନାକୁ ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି । ଇତି ମଧ୍ୟରେ ୭୫୭୭ ଜଣଙ୍କ ନମୁନା ପରୀକ୍ଷା କରାଯାଇ ସାରିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।