ଟିକା ଉତ୍ସବରେ ସାମିଲ ହେବା ପାଇଁ କେନ୍ଦ୍ର ମନ୍ତ୍ରୀ ଅଠାୱଲେଙ୍କ ଆହ୍ୱାନ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ସମୟ ମଧ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସମସ୍ତ ବ୍ୟକ୍ତି ଅଧିକରୁ ଅଧିକ ସଂଖ୍ୟାରେ ନିଜର ନିକଟସ୍ଥ ଟିକାଦାନ କେନ୍ଦ୍ରରେ କୋଭିଡ ଟିକା ଗ୍ରହଣ କରିବା ଲାଗି ନିବେଦନ କରିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ।
ଆଜି ରାଜଧାନୀ ଭୁବନେଶ୍ୱର ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଅଠାୱଲେ କହିଥିଲେ ଯେ ପୂର୍ବରୁ ସତର୍କତା ଓ ସମୟୋଚିତ ପଦକ୍ଷେପ କାରଣରୁ ଆମେ କରୋନା ମହାମାରୀ ବିରୋଧରେ ବିଜୟ ହାସଲ କରିପାରିଥିଲେ । ମାତ୍ର ବର୍ତମାନ ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ଏଥିପାଇଁ ସତର୍କ ଅଛନ୍ତି ଏବଂ ଦେଶର ସମସ୍ତ ରାଜ୍ୟ ସରକାରଙ୍କ ସହିତ ମିଶି ମହାମାରୀ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଟିକାକରଣ ସହିତ କୋଭିଡ ଉପଯୁକ୍ତ ବ୍ୟବହାର ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କରିଥିବା ଆହ୍ୱାନକୁ ସମସ୍ତେ ପାଳନ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ

  • କେନ୍ଦ୍ର ସରକାର ସବ୍‌କା ସାଥ୍ ଓ ସବ୍‌କା ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି
  •  ସମାଜର ସବୁ ବର୍ଗର କଲ୍ୟାଣ ପାଇଁ ଯୋଜନା କାର୍ଯ୍ୟକାରୀ କରାଯାଉଛି
  •  ବିଭିନ୍ନ ଯୋଜନାର ସଫଳତା ସମ୍ପର୍କରେ ତଥ୍ୟ ସହ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଠାୱଲେ ଆହୁରି କହିଥିଲେ ଯେ କରୋନା ମହାମାରୀ ସତ୍ୱେ ଦେଶର ବିକାଶଧାରା ଜାରି ରଖିବା ନିମନ୍ତେ ଆବଶ୍ୟକ ସମସ୍ତ ପଦକ୍ଷେପ କେନ୍ଦ୍ର ସରକାର ଗ୍ରହଣ କରୁଛନ୍ତି । ସବକା ସାଥ୍ ସବକା ବିକାଶ ଓ ସବକା ବିଶ୍ୱାସ ମନ୍ତ୍ର ନେଇ ସମାଜର ସବୁ ବର୍ଗର କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନାର ସଫଳତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।
ସେ କହିଥିିଲେ ଯେ ୨୦୧୪ରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ସାରା ଦେଶରେ ୪୨ କୋଟି ୨୦ ଲକ୍ଷ ୬ ହଜାର ଆକାଉଂଟ ଖୋଲାଯାଇଛି । ଏସବୁ ଆକାଉଂଟରେ ବର୍ତମାନ ୧,୪୦,୫୫୦.୮୦ କୋଟି ଟଙ୍କା ରହିଛି । ସେହିପରି ୨୦୧୪-୨୦୨୧ (ମାର୍ଚ୍ଚ) ସୁଦ୍ଧା ଏହି ଯୋଜନାରେ ଓଡ଼ିଶାରେ ୧ କୋଟି ୭୩ ଲକ୍ଷ ୧୭ ହଜାର ଆକାଉଂଟ ଖୋଲାଯାଇଛି ଏବଂ ଏସବୁ ଆକାଉଂଟରେ ୬୬୪୧.୫୧ କୋଟି ଟଙ୍କା ଜମା ହୋଇଛି ।
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୨୦୧୫ରୁ ୨୦୨୧ ମାର୍ଚ୍ଚ ସୁଦ୍ଧା ୨୮ କୋଟି ୮୧ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ୱ ଋଣ ସାରା ଦେଶରେ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆବଂଟିତ କରାଯାଇଛି । ମୋଟ ଆବଂଟିତ ଋଣ ପରିମାଣ ୧୪,୬୦,୮୭୬.୭୩ କୋଟି ଟଙ୍କାରୁ ଅଧିକ । ସେହିପରି ଓଡ଼ିଶାରେ ମୁଦ୍ରା ଯୋଜନାରେ ମୋଟ ୬୭,୯୮୪.୮୨ ଟଙ୍କାରୁ ଊର୍ଦ୍ଧ୍ୱ ମୋଟ ୧କୋଟି ୯୬ ଲକ୍ଷ ୫୩ ହଜାର ଋଣ ଆବଂଟନ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ।
ଏହି ଅବସରରେ ଶ୍ରୀ ଅଠାୱଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଂଚଳ ସମ୍ପର୍କରେ ମଧ୍ୟ ତଥ୍ୟ ଦେଇଥିଲେ । ସେ କହିଥିଲେ ଯେ ବର୍ତମାନସୁଦ୍ଧା ଏହି ଯୋଜନାରେ ୯୫୭୭୭ କୋଟି ଟଙ୍କା ବ୍ୟୟରେ ପାଖାପାଖି ୪୮ ଲକ୍ଷ ୨ହଜାର ଆବାସ ନିର୍ମାଣ କରାଯାଇଛି । ଓଡ଼ିଶାରେ ଏହି ଯୋଜନାରେ ୧୫୩୨ କୋଟି ଟଙ୍କା ବ୍ୟୟ କରାଯାଇ ୯୪ ହଜାର ଆବାସ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୨୦୧୬ରୁ ୨୦୨୧ ମାର୍ଚ୍ଚ ସୁଦ୍ଧା ମୋଟ ୮କୋଟି ୧୬ ହଜାର ଗ୍ୟାସ ସଂଯୋଗ ଦିଆଯାଇଥିବା ବେଳେ ଓଡ଼ିଶାରେ ପ୍ରାୟ ୪୭ ଲକ୍ଷ ୩୭ ହଜାର ଗ୍ୟାସ ସଂଯୋଗ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମାଂଚଳରେ ପାଖାପାଖି ୧କୋଟି ୯୮ ଲକ୍ଷ ୨୩ ହଜାର ଆବାସ ନିର୍ମାଣ କରାଯାଇଛି । ଓଡ଼ିଶାରେ ଏହି ଯୋଜନାରେ ୧୯ ଲକ୍ଷ ୬୨ ହଜାର ଆବାସ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆୟୁଷ୍ମାନ ଭାରତ ମାଧ୍ୟମରେ ସାରା ଦେଶରେ ୧ କୋଟି ୭୬ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଲାଭାନ୍ୱିତ ହୋଇଛନ୍ତି । ଏଥିପାଇଁ ୨୧,୭୪୩ କୋଟି ଟଙ୍କା ଖର୍ଚ୍ଚ କରାଯାଇସାରିଛି । ୨୦୧୮ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।
ଅନୁରୂପ ଭାବେ ଉଜାଲା ଯୋଜନାରେ ୩୬ କୋଟି ୬୮ ଲକ୍ଷ ୫୧ ହଜାର ବଲବ ବିତରଣ କରାଯାଇଛି । ଏଥିପାଇଁ ୨୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଓଡ଼ିଶାରେ ୨୮୧.୫ କୋଟି ଟଙ୍କା ବ୍ୟୟ କରାଯାଇ ୫କୋଟି ୨୨ ଲକ୍ଷ ବଲବ ବିତରଣ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଦେଶର ଦଳିତ, ବଂଚିତ, ପଛୁଆ ବର୍ଗ, ସଂଖ୍ୟାଲଘୁ ତଥା ସମସ୍ତ ବର୍ଗର କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହାକି ବିଗତ ଛଅ ବର୍ଷ ଧରି ଦେଶର ବିକାଶଧାରାରେ ପ୍ରତିଫଳିତ ହେଉଛି ବୋଲି ଶ୍ରୀ ଅଠାୱଲେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଶ୍ରୀ ରାଜିନ୍ଦର ଚୌଧୁରୀ ଓ ଉପନିର୍ଦ୍ଦେଶକ ଡ. ଗିରିଶ ଚନ୍ଦ୍ର ଦାଶ ଉପସ୍ଥିତ ଥିଲେ ।

Press Conference by Union Minister Shri Ramdas Athawale.