ଦେଶବାସୀ ଏକ ପରିବାର ଭଳି ଏକଜୁଟ ହୋଇ କରୋନାରୂପୀ ଶତ୍ରୁର ସଫଳ ମୁକାବିଲା କରିଛନ୍ତି : ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ : କୃଷକ, ଯବାନ ଓ ବୈଜ୍ଞାନିକଙ୍କୁ ମନେ ପକାଇଲେ ରାଷ୍ଟ୍ରପତି, କହିଲେ ଦେଶର ଗର୍ବ

ନୂଆଦିଲ୍ଲୀ  : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୨ତମ ସାଧାରଣତନ୍ତ୍ର ଦିବସର ଅବ୍ୟବେହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ସମ୍ବୋଧନରେ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ଆମର ଜାତୀୟ ଉତ୍ସବକୁ ସମସ୍ତ ଦେଶବାସୀ ଦେଶପ୍ରେମର ଭାବନା ସହିତ ପାଳନ କରନ୍ତି। ସାଧାରଣତନ୍ତ୍ର ଦିବସ ଏକ ଜାତୀୟ ପର୍ବ ଏବଂ ଆମେ ପୂରା ଉତ୍ସାହର ସହ ଏହାକୁ ପାଳନ କରୁଛୁ। ଆମେ ନିଜର ଜାତୀୟ ପତାକା ତଥା ସମ୍ଵିଧାନ ପ୍ରତି ସମ୍ମାନ ଓ ଆସ୍ଥା ବ୍ୟକ୍ତ କରୁଛୁ।

ରାଷ୍ଟ୍ରପତି କହିଛନ୍ତି, ଅହୋରାତ୍ର ପରିଶ୍ରମ କରି କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରି ଏବଂ ଅଳ୍ପ ସମୟରେ ଭ୍ୟାକସିନ ବିକଶିତ କରି ଆମର ବୈଜ୍ଞାନିକ ପୂରା ମାନବ ଜାତିର କଲ୍ୟାଣ ହେତୁ ଏକ ନୂତନ ଇତିହାସ ରଚିଛନ୍ତି। ଆମର ସସସ୍ତ କୃଷକ ଭାଇ, ଯବାନ ଓ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଉଛୁ। କୃତଜ୍ଞ ରାଷ୍ଟ୍ର ଗଣତନ୍ତ୍ର ଦିବସର ଶୁଭ ଅବସରରେ ସଭିଙ୍କୁ ଅଭିନନ୍ଦନ ଜଣାଉଛି। ରାଷ୍ଟ୍ରପତି କହିଛନ୍ତି, ୨୦୨୦ ବର୍ଷଟି ଆମକୁ ଶିକ୍ଷା ଦେବାର ବର୍ଷ ହୋଇ ରହିଲା। ମୁସ୍କିଲ ସମୟରେ କେମିତି ମୁକୁଳିବା ତାର ଶିକ୍ଷା ଦେଇଛି ୨୦୨୦।

ସିଆଚେନ ଓ ଗଲଓ୍ଵାନକୁ କଲେ ଉଲ୍ଲେଖ

ଦେଶ ନାମରେ ନିଜର ସମ୍ବୋଧନରେ ରାଷ୍ଟ୍ରପତି କୋବିନ୍ଦ ସିଆଚେନ ଓ ଗଲଓ୍ଵାନ ଘାଟି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ବିଯୁକ୍ତ ୫୦ ରୁ ୬୦ ଡିଗ୍ରୀ ତାପମାତ୍ରାର ଅସହ୍ୟ ଥଣ୍ଡାରେ, ଜୈସଲମେରରେ ୫୦ ଡିଗ୍ରୀ ତାପମାତ୍ରାର ପ୍ରକୋପ ଖରାରେ, ମାଟିରେ, ଆକାଶରେ ଏବଂ ବିଶାଳ ତଟୀୟ କ୍ଷେତ୍ରରେ ଆମର ସେନା ଭାରତର ସୁରକ୍ଷା ଦାୟିତ୍ଵ ଅହୋରାତ୍ର ସଜାଗ ରହି ପ୍ରତି ମୁହୂର୍ତ୍ତରେ ନିଜର କର୍ତ୍ତବ୍ୟ ସଂପାଦନ କରୁଛନ୍ତି। ଆମ ସୈନିକଙ୍କ ବାହାଦୂରୀ, ଦେଶ ପ୍ରେମ ଓ ବଳିଦାନ ଉପରେ ସମସ୍ତ ଦେଶବାସୀ ଗର୍ବିତ।

ଭ୍ୟାକସିନ

ରାଷ୍ଟ୍ରପତି କହିଛନ୍ତି, ଆତ୍ମ ନିର୍ଭର ଭାରତ କରୋନା ଭାଇରସ୍‌ରୁ ମାନବ ଜାତିକୁ ବଞ୍ଚାଇବା ପାଇଁ ନିଜେ ଭ୍ୟାକସିନ ପ୍ରସ୍ତୁତ କଲା। ଏବେ ବ୍ୟାପକ ଭାବେ ଯେଉଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି ତାହା ଇତିହାସରେ ସବୁଠୁ ବଡ ପ୍ରକଳ୍ପ ହେବାକୁ ଯାଉଛି। ମୁଁ ଦେଶବାସୀଙ୍କୁ ନିବେଦନ କରୁଛି, ଆପଣ ସମସ୍ତେ ଗାଇଡ୍‌ଲାଇନ୍‌ ଅନୁରୂପ ନିଜ ସ୍ଵାସ୍ଥ୍ୟର ହିତ ପାଇଁ ଭ୍ୟାକସିନ ରୂପୀ ସଞ୍ଜିବନୀର ଲାଭ ଅବଶ୍ୟ ଉଠାନ୍ତୁ ଏବଂ ଏହାକୁ ନିଶ୍ଚୟ ଲଗାନ୍ତୁ। ଆପଣଙ୍କ ସ୍ଵାସ୍ଥ୍ୟ ହିଁ ଆପଣଙ୍କ ଉନ୍ନତିର ମାର୍ଗ ପ୍ରଶସ୍ତ କରିବ।

ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି କୋବିନ୍ଦ ବାଲ ଗଙ୍ଗାଧର ତିଳକ, ଲାଲ ଲଜପତ ରାୟ, ମହାତ୍ମା ଗାନ୍ଧୀ, ଭିମରାଓ ଆମ୍ବେଦକରଙ୍କୁ ମଧ୍ୟ ମନେ ପକାଇଛନ୍ତି। ସେ କହିଛନ୍ତି, ସମ୍ବିଧାନରେ ରେଖାଙ୍କିତ ପ୍ରତିଟି ଶବ୍ଦ ନୀତି ନିୟମ, ନ୍ୟାୟ, ସମାନତା ଓ ବନ୍ଧୁତାର ଜୀବନ-ମୂଲ୍ୟ ଆମ ସମସ୍ତଙ୍କ ପାଇଁ ଆଦର୍ଶ। ଆମେ ଆଶା କରୁଛୁ ଯେ, କେବଳ ଶାସନର ଦାୟିତ୍ଵ ନିର୍ବାହ କରୁଥିବା ଲୋକ ନୁହେଁ, ବରଂ ସମସ୍ତଙ୍କ ସାଧାରଣ ନାଗରିକ ମଧ୍ୟ ସମ୍ବିଧାନ ଆଦର୍ଶର ପାଳନ କରନ୍ତୁ।

presidents ramnath kovind speech on eve of republic day