ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ: ସ୍ୱାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ତିନି ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର: ବିମାନବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ରାମନାଥ କୋଭିନ୍ଦ । ରାଷ୍ଟ୍ରପତି ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବାବେଳେ ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିଛନ୍ତି । ବିମାନ ବନ୍ଦରରେ ପହଁଚିବା କ୍ଷଣି ରାମନାଥ କୋବିନ୍ଦଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି ।

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନେଇ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ଆଜି ରାଜଭବନରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି । ଆସନ୍ତାକାଲି ଅର୍ଥାତ ୨୨ ତାରିଖରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ ଏବଂ ପରେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ରାଉରକେଲା ତିନି ଦିନିଆ ଗସ୍ତ ଅବସରରେ ଏନଆଇଟିର ସମାବର୍ରତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

୨୧ ତାରିଖ ସକାଳ ୮ଟା ୪୦ମିନିଟରେ ଭୁବନେଶ୍ବରରୁ ବାହାରି ଝାରସୁଗୁଡ଼ା ଏୟାରପୋର୍ଟରେ ସକାଳ ୯ଟା ୪୫ମିନିଟରେ ପହଞ୍ଚିବେ । ସେଠାରୁ ୯ଟା ୫୫ମିନିଟରେ ବାହାରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଉରକେଲା ଏୟାରଷ୍ଟ୍ରିପରେ ୧୦ଟା ୩୫ମିନିଟରେ ପହଞ୍ଚି, ୧୦ଟା ୫୫ମିନିଟରେ ଏନଆଇଟି ରାଉରକେଲାରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।

ଏହାପରେ ଅପରାହ୍ନ ୩ଟା ୪୫ମିନିଟରେ ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବେ। ସେଠାରୁ ଫେରି ପୁଣି ସନ୍ଧ୍ୟା ୬ଟା ୩୦ମିନିଟରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ରାଷ୍ଟ୍ରପତି । ୨୨ ତାରିଖ ସକାଳ ୮ଟା ୪୫ମିନିଟରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ । ସକାଳ୯ଟା ୫ରୁ ୯ଟା ୪୫ମିନିଟ ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ଏହାପରେ ପୂର୍ବାହ୍ନ ୧୦ଟା ୪୫ମିନିଟରୁ ୧୧ଟା ୧୫ମିନିଟପର୍ଯ୍ୟନ୍ତ ଅଧଘଣ୍ଟା କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିବେ ଦେଶର ପ୍ରଥମ ନାଗରିକ।

ସେହିପରି ପୂର୍ବାହ୍ନ ୧୧ଟା ୨ମିନିଟରେ କୋଣାର୍କ ଇଣ୍ଟରପ୍ରିଟେସନ ସେଣ୍ଟର ବୁଲି ଦେଖିବେ ରାଷ୍ଟ୍ରପତି। ପୂର୍ବାହ୍ନ ୧୧ଟା ୩୦ମିନିଟରୁ ୧୨ଟା ଯାଏଁ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ଟ୍ରଷ୍ଟ ଇଣ୍ଟରପ୍ରିଟେସନ୍ ସେଣ୍ଟର ବୁଲି ଦେଖିବେ ଦେଶର ପ୍ରଥମ ନାଗରିକ। ଅପରାହ୍ନ ୪ଟା ୪୫ମିନିଟରେ ଭୁବନେଶ୍ବର ଏୟରପୋର୍ଟରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।