ଫିଲିପାଇନ୍ସ: ମହାତ୍ମା ଗାନ୍ଧୀଙ୍କ ପ୍ରତିମା ଉନ୍ମୋଚନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ମନିଲା: ଫିଲିପାଇନ୍ସର ରାଜଧାନୀ ମନିଲା ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଫିଲିପାଇନ୍ସ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଉନ୍ମୋଚନ କରିଛନ୍ତି । ନିଜର ୫ ଦିବସୀୟ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅକ୍ଟୋବର ୧୭ରେ ଫିଲିପାଇନ୍ସ ଯାଇଛନ୍ତି । ସେ ସେଠାକାର ରାଷ୍ଟ୍ରପତି ରୋଡ୍ରିଗୋ ଡୁଟ୍ରେଟଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଗୁରୁବାର ନିନୋଏ ଆକ୍ୱିନୋ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । 

ରାଷ୍ଟ୍ରପତି ଶୁକ୍ରବାର ଠାରୁ ତାଙ୍କର ଅଫିସିଆଲ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଡୁଟ୍ରେଡ ୨୦୧୮ ଜାନୁୟାରୀରେ ଭାରତ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେହି ସମୟରେ ସେ ଏକ ଆଞ୍ଚଳିକ ସମ୍ମିଳନୀରେ ଯୋଗ ଦେଇଥିଲେ । 

ସୂଚନାଯୋଗ୍ୟ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାର କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରିଛନ୍ତି । ପାଲେଷ୍ଟାଇନରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ (ଅକ୍ଟୋବର ୨) ଅବସରରେ ଗାନ୍ଧୀଙ୍କ ଐତିହ୍ୟ ଓ ମୂଲ୍ୟ ଉପରେ ଆଧାରିତ ଡାକ ଟିକେଟ ଜାରି ହୋଇଛି । ପାଲେଷ୍ଟାଇନ କର୍ତ୍ତୃପକ୍ଷର ଦୂରସଂଚାର ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଇସହାକ ସେଦେର ଏକ ସମାରୋହରେ ଭାରତର ପ୍ରତିନିଧି ସୁନିଲ କୁମାରଙ୍କ ଉପସ୍ଥିତିରେ ଏହି ଡାକ ଟିକେଟ ଜାରି କରିଛନ୍ତି । ସେଦେର କହିଥିଲେ, ଗାନ୍ଧୀଙ୍କ ସ୍ମୁତିରେ ଡାକ ଟିକେଟ ଜାରି କରାଯାଇଛି, ଯାହାଙ୍କର ଐତିହ୍ୟ ଓ ମୂଲ୍ୟ ମାନବିକତାକୁ ରାସ୍ତା ଦେଖାଇଛି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଆମେରିକା ଗସ୍ତରେ ନ୍ୟୁୟର୍କରେ ସୌରଶକ୍ତି ପାର୍କ ଉଦଘାଟନ କରିଥିଲେ ।