ନିର୍ଭୟା ମାମଲା: ପୱନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ପୱନ କୁମାର ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବୁଧବାର ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି । ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ୟ ୩ ଜଣ ଦୋଷୀଙ୍କ ରାଜକ୍ଷମା ଆବେଦନ ଖାରଜ କରିଦେଇଥିଲେ ।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ବୁଧବାର ସକାଳୁ ମୃତ୍ୟୁଦଣ୍ଡ ପାଇଥିବା ୪ ଦୋଷୀଙ୍କ ମାନସିକ ଏବଂ ଶାରିରୀକ ସ୍ବାସ୍ଥ୍ୟାବସ୍ଥା ତଦନ୍ତ ପାଇଁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗକୁ ନିର୍ଦ୍ଦେଶ ଦେବା ପାଇଁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଥିଲେ ।

ତେବେ ପୱନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରଧୀନ ଥିବାରୁ ମାର୍ଚ୍ଚ ୩ ତାରିଖରେ ୪ ଦୋଷୀଙ୍କ ନାମରେ ଜାରି ଡେଥ ୱାରେଂଟକୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ।