ଦିଲ୍ଲୀର ଆର୍ମି ହସ୍ପିଟାଲକୁ ସହାୟତାର ହାତ ବଢ଼ାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାରା ଦେଶ ଆଜି କାରଗିଲ ବୀର ମାନଙ୍କୁ ମନେ ପକାଉଥିଲା ବେଳେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଯବାନମାନଙ୍କୁ ବଢାଇଛନ୍ତି ସହାୟତାର ହାତ । ରାଷ୍ଟ୍ରପତି ଆଜି ଦିଲ୍ଲୀର ଆର୍ମି ହସ୍ପିଟାଲକୁ ୨୦ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି । ଏହି ଅର୍ଥରେ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ଉପକୃତ ହେବେ । କୋଭିଡ -୧୯ ମୁକାବିଲାରୋ ନିୟୋଜିତ ଡାକ୍ତରମାନଙ୍କୁ କିଛି କିଟ କିଣିବାରେ ଏହି ଅର୍ଥ ସାହାଯ୍ୟ କରିବ ।

ଏହି ମହାମାରୀ ସମୟରେ ରାଷ୍ଟ୍ରପତି ଭବନର ଅନେକ ଅର୍ଥ ବ୍ୟୟ ପ୍ରକ୍ରିୟାକୁ ରାଷ୍ଟ୍ରପତି କମ କରିବାକୁ କହିଥିଲେ । ଯାହା ଫଳରେ ଆଜି ଏହି ଅର୍ଥକୁ ଆର୍ମି ହସ୍ପିଟାଲକୁ ଦେବା ସମ୍ଭବ ହୋଇପାରିଛି ।

ରାଷ୍ଟ୍ରପତିଙ୍କ ଠାରୁ ମିଳିଥିବା ଏହି ଅର୍ଥରେ ଆର୍ମି ହସ୍ପିଟାଲ ପିଏପିଆରର ଏକ ୟୁନିଟ୍ ଆଣିବ ଯାହା ବାୟୁ ବିଶୋଧନକାରୀ ଶ୍ୱାସ ପ୍ରକ୍ରିୟା ପାଇଁ ବ୍ୟବହୃତ ହେବ । ମେଡିକାଲ୍ ପ୍ରଫେସନାଲମାନଙ୍କୁ ଅସ୍ତ୍ରୋପଚାର ସମୟରେ ନିଶ୍ୱାସ ନେବାକୁ ଏବଂ ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିବ ।

ରାଷ୍ଟ୍ରପତିଙ୍କ ଏହି ଉଦ୍ୟମ ଆର୍ମି ହସ୍ପିଟାଲର ଫ୍ରଣ୍ଟଲାଇନ କୋଭିଡ ୱାରିୟର୍ସଙ୍କ ମନୋବଳ ବୃଦ୍ଧି କରିବ । ଏହି ଉଦ୍ୟମ ମଧ୍ୟ ସାଧାରଣ ଲୋକ ଏବଂ ସଂଗଠନ ଗୁଡ଼ିକୁ ଖର୍ଚ୍ଚ କାଟ କରିବା ପାଇଁ ଉତ୍ସାହିତ କରିବ ଏବଂ କୋଭିଡ ଯୋଦ୍ଧାମାନଙ୍କୁ ସହାୟତା କରିବା ପାଇଁ ସହାୟକ ହେବ ବୋଲି ମତପ୍ରକାଶ ପାଇଛି ।