ଶ୍ରୀମନ୍ଦିରକୁ ଦରମାରୁ ୧ ଲକ୍ଷ ଟଙ୍କା ସମର୍ପଣ ନିଧି ଅର୍ପଣ କରି ବିଶ୍ୱର ସମସ୍ତ ଜଗନ୍ନାଥପ୍ରେମୀ ଏବଂ ସାଢେ ୪ କୋଟି ଓଡିଆଙ୍କୁ ପ୍ରେରିତ କରିଛନ୍ତି ମହାମହିମ ରାଷ୍ଟ୍ରପତି-ଧର୍ମେନ୍ଦ୍ର ପ୍ରଧାନ

ପୁରୀ ଶ୍ରମନ୍ଦିରରେ ମହାମହିମ ରାଷ୍ଟ୍ରପତିଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ :  ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏବଂ ଦେଶର ପ୍ରଥମ ମହିଳା ଶ୍ରୀମତି ସବିତା କୋବିନ୍ଦ ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସମର୍ପଣ ନିଧି ଅର୍ପଣ କରି ଶ୍ରୀମନ୍ଦିରର ବିକାଶ ପାଇଁ ଆଗେଇ ଆସିବାକୁ ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀ ଓ ଓଡିଶାର ସାଢେ ୪ କୋଟି ଲୋକଙ୍କୁ ପ୍ରେରିତ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମହାମହିମ ରାଷ୍ଟ୍ରପତି ଓ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲସହ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ଦର୍ଶନ କରିବାର ସୌଭାଗ୍ୟ ଲାଭ କରି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି ।

 ଶ୍ରୀମନ୍ଦିର ବିକାଶ ଅଭିଯାନରେ ମହାମହିମ ରାଷ୍ଟ୍ରପତି ସାମିଲ ହୋଇଥିବାରୁ ଧନ୍ୟବାଦ
 ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କାର ଚେକ୍ ଦେଇଥିବାରୁ ରାଷ୍ଟ୍ରପତିଙ୍କୁ ସାଧୁବାଦ
 ନିଧି ସମର୍ପଣ ଅଭିଯାନକୁ ଜନଆନ୍ଦୋଳନ କରିବା ପାଇଁ ପରାମର୍ଶ
ମହାମହିମ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ବିକାଶ ଅଭିଯାନରେ ସାମିଲ ହୋଇଥିବାରୁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀମନ୍ଦିର ବିକାଶ ଅଭିଯାନରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାମିଲ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କାର ସମର୍ପଣ ନିଧି ଅର୍ପଣ କରି ବିଶ୍ୱର ଜଗନ୍ନାଥ ପ୍ରେମୀ ଏବଂ ସାଢେ ଚାରି କୋଟି ଓଡିଆଙ୍କୁ ଏଥିପାଇଁ ଆଗେଇ ଆସିବାକୁ ପ୍ରେରିତ କରିଛନ୍ତି । ଅନାଦି ଅନନ୍ତ କାଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ତାଙ୍କର ପବିତ୍ରତା ସହିତ ସଂଶ୍ଲିଷ୍ଟ ସବୁକିଛି ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପରିଚୟର ମୂଳବିନ୍ଦୁ ।

ଏହି ନିଧି ସମର୍ପଣ ଅଭିଯାନକୁ ଓଡ଼ିଶା, ଭାରତ ତଥା ବିଶ୍ୱରେ ଜନଆନ୍ଦୋଳନ ଭାବେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ପୁନର୍ବାର ସମସ୍ତଙ୍କୁ ନିବେଦନ କରିଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିରକୁ ଏହି ଲକ୍ଷେ ଟଙ୍କା ଦାନ ଶ୍ରୀମନ୍ଦିର ବିକାଶ ପାଇଁ ଆଗେଇ ଆସିବାକୁ ସମସ୍ତଙ୍କୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଶ୍ରୀମନ୍ଦିର ବିକାଶ ପ୍ରକ୍ରିୟାରେ ଗରିବ ଠାରୁ ଗରିବ ପର୍ଯ୍ୟନ୍ତ ସାରା ବିଶ୍ୱର ଧନୀ ଶ୍ରେଣୀର ଶ୍ରୀଜଗନ୍ନାଥ ପ୍ରେମୀଙ୍କ ପର୍ଯ୍ୟନ୍ତ ସମସ୍ତେ ସହଯୋଗୀ ହେବା ପାଇଁ ଏକ ନିଧି ସମର୍ପଣ ଅଭିଯାନ ଆରମ୍ଭ କରିବା ପାଇଁ ଗଜପତି ମହାରାଜ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ । ଏହି ନିଧି ସମର୍ପଣ ପାଇଁ ପ୍ରଥମେ ଗଜପତି ମହାରାଜା ଏହି ନିଧି ସମର୍ପଣ ଅଭିଯାନର ନେତୃତ୍ୱ ନେବା ପାଇଁ ସେ ଅନୁରୋଧ କରିଥିଲେ । ପତ୍ର ଲେଖିବା ପୂର୍ବରୁ ଶ୍ରୀ ପ୍ରଧାନ ପ୍ରତ୍ୟକ୍ଷ ଭାବରେ ଶ୍ରୀମନ୍ଦିର ଆସି ନିଜ ବ୍ୟକ୍ତିଗତ ଦରମାରୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପୁରୀ ଜିଲ୍ଲାର ଦୁଇ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ଲଳିତେନ୍ଦୁ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ସମର୍ପଣ ନିଧି ପ୍ରଦାନ କରିଥିଲେ । ଇତିମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ୩୫ଟି ଦେଶର ଓଡ଼ିଆମାନେ ଅନଲାଇନ ପ୍ଲାଟଫର୍ମରେ ଯୋଡ଼ି ହୋଇ ମହାପ୍ରଭୁଙ୍କ ପାଇଁ ଅର୍ଥ ଦାନ ପାଇଁ ସହମତି ପ୍ରକାଶ କରିବା ସହ ଏହି କାମକୁ ଆଗେଇ ନେବାକୁ ଯୋଜନା ପ୍ରସ୍ତୁତ ହୋଇଛି ।President of India Sri Ram Nath Kovind ji and the First Lady Smt. Savita Kovind ji offered a Nidhi of ₹1 Lakh for the development of Shri Jagannath Dham