ରାଜ୍ୟବାସୀଙ୍କୁ ରଜର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ। ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଗଣପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି।

ମାଟି ଓ ମେଘକୁ ସମ୍ମାନ ଜଣାଇ ପିଠା, ମିଠା, ପାନ ଓ ଦୋଳି ଖେଳ ମାଧ୍ୟମରେ ଓଡ଼ିଶାର ଜନସାଧାରଣ ଏହି ପର୍ବକୁ ହର୍ଷୋଲ୍ଲାସ ସହିତ ପାଳନ କରନ୍ତି । କୃଷିଭିତ୍ତିକ ଏହି ରଜ ପର୍ବ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରଜ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ମୋର ଶୁଭଚ୍ଛୋ ଓ ସାଦର ଅଭିନନ୍ଦନ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଅନନ୍ୟ ଗଣ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ରଜ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା। ରଜ ଆମ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ। ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ସ୍ୱତନ୍ତ୍ର ପରମ୍ପରା।