ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଆଜି ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତି ମଞ୍ଜୁରୀ ମିଳିଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୋମବାର ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଥିବା ବେଳେ ଗତକାଲି ରାଜ୍ୟସଭାରେ ଗୃହୀତ ହୋଇଥିଲା। ଆଜି ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଏହା ଆଇନରେ ପରିଣତ ହୋଇଛି।

ନାଗରିକତା ସଂଶୋଧନ ବିଲ୍‌ ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । ଏହା ଭାରତୀୟ ସମ୍ବିଧାନର ବିରୁଦ୍ଧାଚରଣ କରୁଛି ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀଦଳମାନେ କହୁଛନ୍ତି । ଉଭୟ ପାକିସ୍ତାନ ଓ ବାଂଲାଦେଶ ନିଜ ନିଜ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଥିବା ଖବରକୁ ଖଣ୍ଡନ କରିଛନ୍ତି ।

ତେବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ନାଗରିକତା ସଂଶୋଧନ ବିଲ୍‌ କୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଗତକାଲିଠାରୁ ହିଂସାତ୍ମକ ମୋଡ଼ ନେଇଛି । ଆସାମରେ ପୁଲିସ ଗୁଳିରେ ୨ ପ୍ରଦର୍ଶନକାରୀ ନିହତ ହୋଇଛନ୍ତି।